ବେଜିଂ : ଚୀନ୍‌ ସମ୍ବିଧାନରେ ଐତିହାସିକ ସଂଶୋଧନ ହୋଇଛି। ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ରାଷ୍ଟ୍ରପତି ହୋଇପାରିବେ ବୋଲି ପୂର୍ବରୁ ଥିବା ନିୟମକୁ ହଟାଇ ଦିଆଯାଇଛି। ଫଳରେ ବର୍ତ୍ତମାନର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ(୬୪) ଜୀବିତ ଥିବା ଯାଏ ଏହି ପଦରେ ରହିବାର ବାଟ ଫିଟି ଯାଇଛି। ମାଓ ସେ ତୁଙ୍ଗ୍‌ଙ୍କ ପରେ ଜିନ୍‌ ପିଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବେ ପରିଗଣିତ ହେବାକୁ ଯାଉଛନ୍ତି।

Advertisment

ମାଓ ସେ ତୁଙ୍ଗ ୧୯୬୬ରୁ ୧୯୭୬ ଯାଏଁ ଦେଶର ଶାସନ ଗାଦିରେ ବସିବା ପରେ ଏହି ପ୍ରଥାକୁ ରୋକିବା ପାଇଁ ୧୯୮୨ ମସିହାରେ ରାଷ୍ଟ୍ରପତି ଡେଙ୍ଗ ଜାଓପିଙ୍ଗ୍‌ ଏକ ବିଧେୟକ ପାରିତ କରି କୌଣସି ରାଷ୍ଟ୍ରପତି ଦୁଇଥରରୁ ଅଧିକ ସମୟ ପଦରେ ରହିପାରିବେନି ବୋଲି ସମ୍ବିଧାନ ସଂଶୋଧନ କରିଥିଲେ। ଗତ ବର୍ଷ ଜିନ୍‌ପିଙ୍ଗ୍‌ଙ୍କ ନିକଟତର ଓ୍ଵାଙ୍ଗ୍‌ କି ସାନ୍‌(୬୯) ବୟସାଧିକ୍ୟ କାରଣରୁ ଇସ୍ତଫା ଦେବା ପରେ ଚଳିତବର୍ଷ ପୁନର୍ବାର ତାଙ୍କୁ ସାଂସଦ ଭାବେ ନିର୍ବାଚିତ କରାଯାଇଛି। ତେବେ ଓ୍ଵାଙ୍ଗ୍‌ କି ସାନ୍‌ଙ୍କୁ ଦେଶର ଉପରାଷ୍ଟ୍ରପତି ଭାବେ ଘୋଷଣା କରାଯିବା ନେଇ କଳ୍ପନା ଜଳ୍ପନା ଚାଲିଛି।

ଜିନ୍‌ପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ ମସିହାରେ ଶେଷ ହେବାକୁ ଥିବା ବେଳେ ଶାସକ କମ୍ୟୁନିଷ୍ଟ ପାର୍ଟି ସଂସଦରେ ଆଗତ ହୋଇଥିବା ସମ୍ବିଧାନ ସଂଶୋଧନ ବିଲକୁ ଆଜି ଗୃହୀତ କରାଇ ନେଇଛି। ଏଣିକି ଆଜୀବନ ରାଷ୍ଟ୍ରପତି ରହିବାରେ ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଆଉ କୌଣସି ସମସ୍ୟା ନାହିଁ। ଏହି ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ପାଇଁ ବିରୋଧୀମାନଙ୍କ ସ୍ୱରକୁ ଦବାଇବା ପାଇଁ ବ୍ୟାପକ ପ୍ରୟାସ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ପଦକ୍ଷେପ ବିରୋଧରେ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୨୦୧୨ରେ କମ୍ୟୁନିଷ୍ଟ ନେତା ଜିନ୍‌ପିଙ୍ଗ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ଜିନ୍‌ପିଙ୍ଗଙ୍କ କାର୍ଯ୍ୟକାଳର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିଲା।

ଭାରତ ପାଇଁ ବିପଦ
ବେଜିଂ : ଜି ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ପରେ ଏହା ଭାରତ ପାଇଁ ଏକ ବିପଦ ବୋଲି କୁହାଯାଉଛି। ଆଜୀବନ ରାଷ୍ଟ୍ରପତି ପଦରେ ରହିଲେ ଜିନ୍‌ପିଙ୍ଗ୍‌ ଯେ କୌଣସି ସ୍ୱେଚ୍ଛାଚାରୀ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଜିନ୍‌ପିଙ୍ଗ୍‌ ଶାସନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ପ୍ରତି ତାଙ୍କର ଆଭିମୁଖ୍ୟ ସର୍ବଦା ଆକ୍ରମଣାତ୍ମକ ରହିଛି। ଜିନ୍‌ପିଙ୍ଗ ଚୀନ୍‌ର ଅର୍ଥନୀତିକୁ ସର୍ବାଧିକ ଶକ୍ତିଶାଳୀ କରିବା ପାଇଁ ଭାରତର ମିତ୍ର ରାଷ୍ଟ୍ରଙ୍କୁ ନିଜର କବଳିତ କରିଛନ୍ତି ଏବଂ ଭାରତ ମହାସାଗର କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବାକୁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଭାରତ ସହ ଲାଗି ରହିଥିବା ସୀମା ବିବାଦକୁ ଅଧିକ ତୀବ୍ର କରିବା ପଛରେ ମଧ୍ୟ ଚୀନ୍‌ର ଗଭୀର ଷଡ଼ଯନ୍ତ୍ର ରହିଛି। ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଚୀନ୍‌ର ଆର୍ଥିକ ଓ ସାମରିକ ସହଯୋଗ ଯୋଗାଇବା ଆଦି କାର୍ଯ୍ୟ ଭାରତର ସୁରକ୍ଷା ପାଇଁ ବିପଦପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।