ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂର ତିଆନ୍ମେନ୍ ସ୍କୋୟାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୮୦ ତମ ବାର୍ଷିକୀ ଉପଲକ୍ଷେ ବିଜୟ ଦିବସ ପରେଡ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ କଡ଼ା ବାର୍ତ୍ତା ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ବିଶ୍ୱ କେବେବି ‘ଜଙ୍ଗଲୀ ଆଇନ’ ଅନୁସରଣ କରିବା ଉଚିତ ନୁହେଁ କି କେବେ ଏହି ନିୟମକୁ ଫେରିବ ନାହିଁ। ଏହି ବୟାନକୁ ଟ୍ରମ୍ପଙ୍କ ବାଣିଜ୍ୟ ଓ ସାମରିକ ନୀତି ଉପରେ ଏହା ଜିନପିଙ୍ଗଙ୍କ ବଡ଼ ଆକ୍ରମଣ ବୋଲି ବିଶ୍ଳେଷଣ କରାଯାଉଛି।
ଏହି ପରେଡ୍ରେ ଜିନପିଙ୍ଗ ଜାପାନ ବିରୁଦ୍ଧରେ ଚୀନ୍ର ଐତିହାସିକ ବିଜୟକୁ ସ୍ମରଣ କରିବା ସହ ଦେଶର ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମାରୋହରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ଙ୍କ ଉପସ୍ଥିତି ପଶ୍ଚିମୀ ଦେଶମାନଙ୍କ ବିରୋଧରେ ଚୀନ୍ର ମେଣ୍ଟକୁ ଆହୁରି ସୁଦୃଢ଼ କରିଛି। ଜିନପିଙ୍ଗ କହିଛନ୍ତି, ‘ଶାନ୍ତି ଓ ଆଲୋଚନାର ରାସ୍ତାକୁ ବାଛିବା ନା ଯୁଦ୍ଧ ଓ ସଂଘର୍ଷର ରାସ୍ତାରେ ଯିବା, ଏହା ବିଶ୍ୱର ପସନ୍ଦ ଉପରେ ନିର୍ଭର କରେ।’ ଏହି ବକ୍ତବ୍ୟକୁ ଟ୍ରମ୍ପଙ୍କ ଭାରତ ଓ ଚୀନ୍ ଉପରେ ଲଗାଯାଇଥିବା କଡ଼ା ଶୁଳ୍କ ନୀତି ଓ ଆକ୍ରମଣାତ୍ମକ ରାଜନୀତି ବିରୋଧରେ ଏକ ରଣହୁଙ୍କାର ଭାବେ ଦେଖାଯାଉଛି।
ପରେଡ୍ରେ ଚୀନ୍ ନୂତନ ପରମାଣୁ ଅସ୍ତ୍ରବାହକ ମିସାଇଲ, ହାଇପରସୋନିକ ଅସ୍ତ୍ର, ଷ୍ଟେଲ୍ଥ ଡ୍ରୋନ ଓ ଲେଜର୍ ପ୍ରତିରକ୍ଷା ବ୍ୟବସ୍ଥା ପ୍ରଦର୍ଶନ କରିଛି। ଏହା ଚୀନ୍ର ସାମରିକ ଶକ୍ତି ଓ ବିଶ୍ୱ ନେତୃତ୍ୱ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହି ପ୍ରଦର୍ଶନ ଆମେରିକା ଓ ତା’ର ମିତ୍ରମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିପାରେ ବୋଲି ପ୍ରତିରକ୍ଷା ଓ କୂଟନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।