ଜିନ୍‌ପିଙ୍ଗ୍‌ଙ୍କ ତିବ୍ବତ ଗସ୍ତ ଭାରତ ପାଇଁ ବିପଦ

ଆମେରିକା-ଚୀନ୍‌ ତିକ୍ତତା ବି ବଢ଼ୁଛି

ୱାସିଟନ : ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଗତ ସପ୍ତାହରେ ତିବ୍ବତ ଗସ୍ତ କରିବା ଭାରତ ପ୍ରତି ବିପଦର କାରଣ ହୋଇପାରେ ବୋଲି ଆମେରିକାର ବରିଷ୍ଠ ସାଂସଦ ଡେଭିନ୍ ନୁନ୍‌ସ କହିଛନ୍ତି। ଏଥି ସହ ସେ ଅଭିଯୋଗ କରିଛନ୍ତି ଯେ, ଚୀନ୍ ଯେମିତି ମାଡ଼ିଚାଲିଛି, ତାକୁ ଅଟକାଇବା ପାଇଁ ଜୋ ବାଇଡେନ୍ ପ୍ରଶାସନ କିଛି ନ କରିବା ଦୁର୍ଭାଗ୍ୟଜନକ।

ଜିନ୍‌ପିଙ୍ଗ୍ ଗତ ବୁଧବାର ତିବ୍ବତର ନିଂଚିକୁ ଏକ ଅଘୋଷିତ ତିନିଦିନିଆ ଗସ୍ତ କରିଥିଲେ। ଏହା ଅରୁଣାଚଳ ପ୍ରଦେଶର ସୀମାନ୍ତରେ ଅବସ୍ଥିତ। ଚୀନ୍ କମ୍ୟୁନିଷ୍ଟ ଦଳର ମଧ୍ୟ ମହାସଚିବ ଥିବା ଜିନ୍‌ପିଙ୍ଗ୍ ତିବ୍ବତ ସେନାର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଉକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ରିପବ୍ଲିକାନ୍ କଂଗ୍ରେସ୍‌ମ୍ୟାନ୍ ଡେଭିନ୍ ନୁନ୍‌ସ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଜିନ୍‌ପିଙ୍ଗ୍ ତିବ୍ବତର ଉକ୍ତ ଭାରତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିବା ହେଉଛି ୩୦ ବର୍ଷରେ ପ୍ରଥମ। ଆଗରୁ କେବେ ସେ ସେଠାକୁ ଗସ୍ତ କରିନାହାନ୍ତି। ସେ ଆଣବିକ ଶକ୍ତିସମ୍ପନ୍ନ ତଥା ୧୩୦ କୋଟି ଲୋକଙ୍କ ଦେଶ ଭାରତକୁ ଧମକାଉଛନ୍ତି। ସେ ଏକ ବଡ଼ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛନ୍ତି- ସମ୍ଭବତଃ ବ୍ରହ୍ମପୁତ୍ର ନଦୀରୁ ଭାରତ ପାଉଥିବା ଜଳକୁ କମ୍ କରିବା ତାଙ୍କର ଲକ୍ଷ୍ୟ। ନିଂଚି ଗସ୍ତ ଅବସରରେ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ପାରିବେଶିକ ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ସେ ନ୍ୟାଂଗ ନଦୀବନ୍ଧ ପରିଦର୍ଶନ କରିଥିଲେ। ଚୀନ୍ ତା’ର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନାରେ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବିରାଟ ବନ୍ଧ ନିର୍ମାଣ କରିବା ପାଇଁ ସ୍ଥିର କରିଛି। ଏହା ଭାରତ ଓ ବାଂଲାଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏଥିରୁ ଇ ସୂଚନା ମିଳୁଛି ଯେ ଚୀନ୍‌ ତା’ ଲକ୍ଷ୍ୟରେ ମାଡ଼ିଚାଲିଛି ଏବଂ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଚାଲିଛି। ଅଥଚ ଆମେରିକାର ବାଇଡେନ ପ୍ରଶାସନ ଚୁପ୍‌ଚାପ୍‌ ବସିଛି। ଚୀନ୍‌ର ଅଗ୍ରଗତିକୁ ରୋକିବା ପାଇଁ ଆମେରିକା କିଛି କରିବା ଉଚିତ ବୋଲି ସେ ମତ ଦେଇଥିଲେ। ଭାରତଗସ୍ତରେ ଆସିଥିବା ଆମେରିକା ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଗତ ବୁଧବାର ଦଲାଇ ଲାମାଙ୍କ ପ୍ରତିନିଧିଙ୍କୁ ଭେଟିଥିବାରୁ ଚୀନ୍‌ ଆମେରିକା ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛି।

ସମ୍ବନ୍ଧିତ ଖବର