ନାରୀ ଶକ୍ତି ବିଜୟ ଦେଇଛି, ବିକାଶ ପାଇଁ ଭୋଟ ମିଳିଛି: ମୋଦୀ

ୟୁପିରେ ତାଙ୍କ ଗ୍ରହଣୀୟତା କହି ଶ୍ରେୟ ନେଲେ

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନ ଫଳାଫଳ ପରେ କିଛି ରାଜନୈତିକ ବିଶେଷଜ୍ଞ କହିଥିଲେ ଯେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ୨୦୧୭ରେ ଉତ୍ତରପ୍ରଦେଶ ଫଳାଫଳ ଏହା ସ୍ଥିର କରିସାରିଥିଲା। ଏହାକୁ ଯଦି ବିଶ୍ବାସ କରାଯାଏ ବା ସମାନ ଚିନ୍ତାଧାରା ବର୍ତ୍ତମାନ ଲାଗୁ କରାଯାଏ ତେବେ ଏକଥା କୁହାଯାଇପାରିବ ଯେ ୨୦୨୨ରେ ଆଜିର ଫଳାଫଳ ୨୦୨୪ରେ ପ୍ରତିଫଳିତ ହେବ।

ଚାରିଟି ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ଗୁରୁବାର ଦିନ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କ ସାମ୍ନାରେ ୨୦୨୪ରେ ବିଜେପି ସରକାର ସମ୍ଭାବନା ଉଜ୍ଜ୍ବ​ଳ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେବଳ ସେତିକି ନୁହେଁ, ପାଖାପାଖି ୪୫ମିନିଟର ବକ୍ତବ୍ୟରେ ମୋଦୀ ସ୍ପଷ୍ଟ ଭାବେ ଏକଥା କହିଛନ୍ତି ଯେ ଉତ୍ତର ପ୍ରଦେଶ ଦେଶକୁ ଅନେକ ପ୍ରଧାନମନ୍ତ୍ରୀ ଦେଇଛି ଏବଂ ଅନେକ ପ୍ରଧାନମନ୍ତ୍ରୀଙ୍କ ଠାରୁ କ୍ଷମତା ମଧ୍ୟ ଛଡ଼ାଇ ନେଇଛି। ହେଲେ ପ୍ରଥମ ଥର ପାଇଁ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ପ୍ରଦେଶବାସୀ ପୁଣିଥରେ କ୍ଷମତାକୁ ଆଣିଛନ୍ତି। ଏହି ସଫଳତା ପାଇଁ ବିଜଦେପିର ଉତ୍ତରପ୍ରଦେଶ କର୍ମକର୍ତ୍ତା ଓ ଦଳୀୟ ନେତୃବୃନ୍ଦଙ୍କୁ ଶ୍ରେୟ ଦେଇଥିବା ପ୍ରଧାନମନ୍ତ୍ରୀ କିନ୍ତୁ ଥରୁଟିଏ ବି ଯୋଗୀ ଆଦିତ୍ୟନାଥଙ୍କ ନାମ ନେଇନଥିଲେ। ବରଂ କହିଥିଲେ ଯେ ବାରଣାସୀରୁ ସଂସଦକୁ ନିର୍ବାଚିତ କରିଥିବା ଲୋକମାନେ ଏବେ ମୋଦୀ ଉତ୍ତରପ୍ରଦେଶର ବୋଲି ଏକପ୍ରକାର ଗ୍ରହଣ କରିନେଇଛନ୍ତି।

ମଣିପୁରଠୁ ଆରମ୍ଭ କରି ଗୋଆ, ଉତ୍ତରାଖଣ୍ଡରୁ ଆରମ୍ଭ କରି ଉତ୍ତରପ୍ରଦେଶକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ନିର୍ବାଚନରେ ସୀମାକୁ ଲାଗିଥିବା ଏକ ପାହାଡ଼ିଆ ରାଜ୍ୟ, ସମୁଦ୍ରକୂଳର ଏକ ରାଜ୍ୟ, ମାଆ ଗଙ୍ଗାଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ଏକ ରାଜ୍ୟ ଏବଂ ଉତ୍ତର-ପୂର୍ବ ସୀମାରେ ଥିବା ଏକ ରାଜ୍ୟ, ଏହିଭଳି ଚାରିଟି ଦିଗରୁ ବିଜେପିକୁ ସମର୍ଥନ ମିଳିଛି; ଯଦିଓ ଏହି ରାଜ୍ୟଗୁଡିକରେ ଚ୍ୟାଲେଞ୍ଜ ଅଲଗା ଅଲଗା ଥିଲା। ଏଇଥିପାଇଁ ଯେ ତଳସ୍ତରରେ ଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚିବାକୁ ହେଲେ ଏକ ଉତ୍ତମ ଶାସନ ପ୍ରଦାନ ବ୍ୟବସ୍ଥା ରହିବା ଆବଶ୍ୟକ। ବିଜେପି ତାହାକୁ ନିଶ୍ଚିତ କରିଛି। ହେଲେ ସବୁଠୁ ଗରିବ ଲୋକଙ୍କ ନିକଟରେ ଉତ୍ତମ ଓ ସ୍ବଚ୍ଛ ଶାସନ ନପହଞ୍ଚିବା ପର୍ଯ୍ୟନ୍ତ ମୁଁ ବସିବି ନାହିଁ, ଫୁରସତ୍‌ ନେବି ବି ନାହିଁ। ଯେଉଁଠି ମା, ଭଉଣୀ ଓ ଝିଅମାନେ ଭୋଟ ଦେଇଛନ୍ତି ସେଠାରେ ବିଜେପି ବିପୁଳ ବିଜୟ ହାସଲ କରିଛି। ପ୍ରଥମ ଥରର ଭୋଟର ଓ ନାରୀ ଶକ୍ତି ବହୁସଂଖ୍ୟାରେ ଭୋଟ ଦେଇ ବିଜେପିକୁ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛନ୍ତି।

ଉତ୍ତର ପ୍ରଦେଶ ଜାତିବାଦ ରାଜନୀତି ହୋଇଥାଏ ବୋଲି କହି କିଛି ବ୍ୟକ୍ତି ଏହି ରାଜ୍ୟକୁ ଅପମାନିତ କରିଥାନ୍ତି। ଅସଲରେ ଭୋଟର ବିକାଶବାଦୀ ରାଜନୀତି ସପକ୍ଷରେ ଥାନ୍ତି ବୋଲି ସୂଚାଇ ମୋଦୀ ଏହି ଅବସରରେ ପରିବାର ରାଜନୀତିର ଦିନେ ପୂର୍ଣ୍ଣଛେଦ ପଡ଼ବି ବୋଲି ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ସାମୀରେ ଥିବା ରାଜ୍ୟ ପଞ୍ଜାବରେ ‘ବିଚ୍ଛିନ୍ନତାବାଦୀ’ଙ୍କ ବିରୋଧରେ ବିଜେପି ଦଳର କର୍ମୀମାନେ ଲଢ଼ିବେ ଏବଂ ଆବଶ୍ୟକ ପଡ଼ିଲେ ସେମାନେ ଜୀବନ ଦେଇ ପଞ୍ଜାବକୁ ରକ୍ଷା କରିବେ ବୋଲି ମୋଦୀ କହିଥିଲେ।

କାହାର ନାମ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, କିଛି ଦଳ ଏବଂ ଲୋକ ଏବେ ଲୋକଙ୍କ ମନ ଓ ହୃଦୟରେ ଭୟ ଓ ଦ୍ବନ୍ଦ୍ବ ସୃଷ୍ଟି ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। କଠିନ ସମୟରେ ଦେଶକୁ ଏକତ୍ର କରିବା ପରିବର୍ତ୍ତେ ସେମାନେ ଜାତି, ଅଞ୍ଚଳ ଆଦିରେ ଭାଗ ଭାଗ କରିବାକୁ ଉଦ୍ୟମ କରୁଛନ୍ତି। ସାରା ବିଶ୍ବ ଭାରତର ଟିକାକରଣକୁ ପ୍ରଶଂସା କରୁଥିବାବେଳେ ଏସବୁ ଦଳ ଲୋକଙ୍କ ମନରେ ସନ୍ଦେହ ଓ ଭୟ ସୃଷ୍ଟି କରୁଥିଲେ। ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ସାରା ଦେଶ ଏକତ୍ର ହେବାର ଆବଶ୍ୟକତା ରହିଛି ସେତେବେଳେ ଏହି ଲୋକମାନେ ଭାରତକୁ ଅଞ୍ଚଳ, ଜାତି ଆଦିରେ ଭାଗଭାଗ କରିବାକୁ ଚେଷ୍ଟା କରିଥିଲେ। ଏଭଳି ମାନସିକତା ଚିନ୍ତାଜନକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦୀ କହିଥିଲେ, ଉତ୍ତରପ୍ରଦେଶର ଭୋଟର ହୋଲି ପୂର୍ବରୁ ୧୦ ତାରିଖରୁ ହୋଲି ଆରମ୍ଭ ହେବ ବୋଲି ତାଙ୍କୁ ଭରସା ଦେଇଥିଲେ। ସେମାନେ ତାଙ୍କ କଥା ରଖିଛନ୍ତି। ବିଜେପି ଉପରେ ସେମାନେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ତାହା ବାସ୍ତବରେ ଆମକୁ ବିନମ୍ର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଓ ସମୁଦାୟ ବିଜୟକୁ ଗୋଟିଏ ଶବ୍ଦରେ ‘ଜିତ୍ କା ଚୌକା’ ବୋଲି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର