ଏନ୍‌ଡିଏକୁ ଫେରିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଁଝି !

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆବାମ୍‌ ମୋର୍ଚା (ନିରପେକ୍ଷ) (ହାମ୍‌)ର ସଭାପତି ଜୀତନରାମ ମାଁଝି ଏନ୍‌ଡିଏକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ଗତ ବର୍ଷ ଫେବୃଆରି ମାସରେ ଏନଡିଏ ଛାଡ଼ିଥିଲେ। ସେ ବିହାରରେ ଆରଜେଡି ଓ କଂଗ୍ରେସଦ୍ୱାରା ଗଠିତ ମହାମେଣ୍ଟରେ ଯୋଗ ଦେଇଥିଲେ। ମାତ୍ର ତାଙ୍କ ଦଳକୁ ଆଶାନୁରୂପ ସିଟ୍‌ ମିଳୁ ନଥିବା ହେତୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଜୀତନରାମ ମାଁଝି। ନିକଟରେ ସେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ସମର୍ଥନ ଦେଇଛନ୍ତି। ଏହାପରେ ହାମ୍‌ ଏନଡିଏକୁ ଫେରିବ ବୋଲି ଚର୍ଚ୍ଚା ହେଉଛି।

ତେବେ ଭାରତୀୟ ଜନତା ପାର୍ଟି ବା ଜେଡିୟୁ ପକ୍ଷରୁ ଏଯାଏଁ ମାଁଝିଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ। କିନ୍ତୁ ଭାଜପା ପ୍ରଦେଶ ଅଧ୍ୟକ୍ଷ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଜୀତନରାମ ମାଁଝିଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଯଦି ସେ ଏନଡିଏ କୁ ଫେରିବାର ନିଷ୍ପତ୍ତି ନିଅନ୍ତି, ତେବେ ସେ ଏଥିରେ ଖୁସି ହେବେ। ଠିକ୍‌ ସେହିପରି ଜେଡିୟୁର ଜଣେ ବରିଷ୍ଠ ନେତା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର