ମଉଳିଯାଇପାରେ ଓଡ଼ିଆ ପୁଅର ଜେଏନୟୁ ସଭାପତି ଆଶା, ବହୁ ପଛରେ ପଡିଯାଇଛନ୍ତି ଜିତେନ୍ଦ୍ର ସୁନା !

ନୂଆଦିଲ୍ଲୀ: ଛାତ୍ର ସଂଘ ନିର୍ବାଚନରେ ଜିତି ନପାରନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା | କାରଣ ଭୋଟରେ ବହୁ ପଛରେ ପଡିଯାଇଛନ୍ତି ଜିତେନ୍ଦ୍ର | ଜେଏନୟୁର ନିର୍ବାଚନ ଫଳାଫଳ ଘୋଷଣା ଉପରେ ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଥିବାବେଳେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜିତେନ୍ଦ୍ର ତାଙ୍କ ପ୍ରତିଦ୍ବନ୍ଦୀଙ୍କ ତୁଳନାରେ ପାଖାପାଖି ୧ ହଜାରରୁ ଉର୍ଧ୍ଵ ଭୋଟରେ ପଛରେ ପଡିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ମୋଟ ୫୭୬୨ ଭୋଟରୁ ୫୦୫୦ଟି ବାଲଟ ଗଣାଯାଇଛି | ଏଥିରୁ ଜଣାପଡିଛି ଯେ ଲେଫ୍ଟ ଫ୍ରଣ୍ଟର ଆଇସ ଘୋଷ ୨୦୬୯ଟି ଭୋଟ ପାଇଛନ୍ତି | ସେହିପରି ବାପସାର ଜିତେନ୍ଦ୍ର ସୁନା ୯୮୫ ଭୋଟ ପାଇଛନ୍ତି |

ଏବିଭିପିର ପ୍ରାର୍ଥୀ ମନୀଷ ଜାଗଡେ ୯୮୧ ଭୋଟ ପାଇଛନ୍ତି | ତେବେ ଏବେ ବି ଗଣନା ଜାରି ରହିଛି | କିନ୍ତୁ ଚର୍ଚ୍ଚା ହେଉଛି ୭୧୨ଟି ବାଲଟରେ ଜିତେନ୍ଦ୍ରଙ୍କୁ ସଫଳତା ମିଳିଲେ ବି ସେ ସଭାପତି ହୋଇପାରିବେ ନାହିଁ | ଏଠାରେ ସୂଚନା ଥାଉ କି ୨୦୧୩ରୁ ଛାତ୍ର ରାଜନୀତିରେ ସକ୍ରିୟ ଥିବା କଳାହାଣ୍ଡି ଜିଲ୍ଲାର ପୁରକେଲା ଗାଁର ଜିତେନ୍ଦ୍ର ସୁନା ପିଲାଦିନରୁ କ୍ଷେତରେ କାମ କରୁଥିଲେ। ତାଙ୍କର ମା’ ପନିପରିବା ବିକ୍ରି କରୁଥିବାବେଳେ ବାପା ମଜୁରୀ ଖଟୁଥିଲେ। ପୁରକେଲାରେ ତାଙ୍କର ଯୁକ୍ତ ୨ ପାଠ୍ୟକ୍ରମ ସାରି ସେ ଦିଲ୍ଲୀ ଚାଲିଆସିଥିଲେ। ଏଠାରେ ତାଙ୍କ ଭାଇ ଜେନ୍‌ୟୁ ପାଖରେ ଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍‌ରେ ମଜୁରିଆ ରୂପେ କାର୍ଯ୍ୟ କରୁଥିଲେ।

ଭାଇଙ୍କ ସହାୟତାରେ ଜିତେନ୍ଦ୍ରଙ୍କୁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ରେ ହେଲପର କାମ ମିଳିଥିଲା ଏବଂ ପ୍ରାୟ ୨ ବର୍ଷ ସେ ଏହି କାମ କରିଥିଲେ। ୨୦୧୩ରେ ଜିତେନ୍ଦ୍ର ସୁନା ଜେଏନ୍‌ୟୁରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍‌ଏ (ଇତିହାସ)ରେ ନାମ ଲେଖାଇଲେ ତଥା ଏମ୍‌ଏ ପରେ ଏମଫିଲ୍ ପାଠ୍ୟକ୍ରମ ମଧ୍ୟ ଶେଷ କଲେ। ଏମ୍‌ଏ ଓ ଏମଫିଲ୍ କରିବା ସମୟରେ ସେ ବାପସା ସଂଗଠନ ସହିତ ଯୋଡି ହୋଇଯାଇଥିଲେ ଏବଂ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଜଣେ ଉତ୍ତମ ବକ୍ତା ତଥା ସଂଗଠକ ରୂପେ ସେ ଜେଏନ୍‌ୟୁରେ ପରିଚିତ । ବର୍ତ୍ତମାନ ସେ ଜେଏନ୍‌ୟୁରେ ପିଏଚଡି ଛାତ୍ର ଅଛନ୍ତି |

ସମ୍ବନ୍ଧିତ ଖବର