ୟୁପି ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ: ଜିତିନ ପ୍ରସାଦ କ୍ୟାବିନେଟ ଓ ଅନ୍ୟ ୬ ରାଷ୍ଟ୍ରମନ୍ତ୍ରୀ ଭାବେ ନେଲେ ଶପଥ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରିତ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଲକ୍ଷ୍ନୌରେ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି। ୭ ଜଣ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଦସ୍ୟ ଜିତିନ ପ୍ରସାଦ ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟ ୬ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୬ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଛତ୍ରପାଲ ଗଙ୍ଗୱାର, ପଲତୁରାମ, ସଂଗୀତା ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଏବଂ ଦୀନେଶ ଖାତିକ୍। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ସମସ୍ତ ୭ଜଣଙ୍କୁ ଶପଥ ପାଠ କରାଇଛନ୍ତି।

କୁହାଯାଉଛି ଯେ ୨୦୨୨ନିର୍ବାଚନକୁ ଦୃଷ୍ଟିରେ ରଖି ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ‌ତେବେ, କୌଣସି ପୁରୁଣା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବ ନାହିଁ। ଜାତି ଏବଂ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବା ପାଇଁ ରାଜ୍ୟ ବିଜେପି ସରକାର ମନ୍ତ୍ରିମଣ୍ଡଳରେ ନୂତନ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ବିଜେପି ଜାତି ସମୀକରଣକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରୁଛି, ଯାହାଦ୍ବାରା ଦଳ ୨୦୨୨ରେ ରାଜନୈତିକ ଫାଇଦା ପାଇପାରିବ। ଏହି ସମ୍ପ୍ରସାରଣରେ ପଛୁଆ ବର୍ଗଙ୍କୁ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରାଯାଉଛି। କୁହାଯାଉଛି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସେହି ଜାତିମାନଙ୍କୁ ସ୍ଥାନ ଦେବାକୁ ପ୍ରୟାସ କରାଯାଇଛି, ଯାହାଙ୍କୁ ଏପର୍ଯ୍ୟନ୍ତ କ୍ୟାବିନେଟରେ ସ୍ଥାନ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର