ହିସାର: ହରିୟାଣାରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସରକାର ନିକଟରେ ଆବଶ୍ୟକ ସଂଖ୍ୟା ରହିଛି ଏବଂ ସରକାର ପ୍ରତି ଆଦୌ ବିପଦ ନାହିଁ। ସୈନି ସରକାର ଏବେ ସଂଖ୍ୟାଲଘୁ ହୋଇଯାଇଛି ବୋଲି କଂଗ୍ରେସ ଏବଂ ଜେଜେପି ଅଭିଯୋଗ କରିଥିବା ବେଳେ ସୈନି ଏହାକୁ ଖଣ୍ଡନ କରିଛନ୍ତି। ବିରୋଧୀମାନେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କେତେ ସଂଖ୍ୟାରେ ବିଧାୟକ ସେମାନଙ୍କୁ ସମର୍ଥନ କରୁଛନ୍ତି ଏନେଇ ସେମାନେ ରାଜ୍ୟପାଳଙ୍କ ନିକଟରେ ଏକ ଲିଖିତ ବିବୃତି ଦାଖଲ କରିବାପାଇଁ ସୈନି କଂଗ୍ରେସ ଓ ଜେଜେପିକୁ ଆହ୍ବାନ ଦେଇଛନ୍ତି। ସୈନି କହିଛନ୍ତି, ଆମେ ନିକଟରେ ଆସ୍ଥା ଭୋଟ୍ ଜିତିଥିଲୁ ଏବଂ ପୁଣିଥରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ଆମେ ଜିତିବୁ।
ବିଜେପି ନେତୃତ୍ବାଧୀନ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ବୋଲି କେବଳ ପ୍ରଚାର କଲେ ଚଳିବ ନାହିଁ ପ୍ରମାଣ ଦେଖାଅ ବୋଲି ସୈନି ବିରୋଧୀଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କୁ ଚିଠି ଲେଖି ଆସ୍ଥା ଭୋଟ୍ ଦାବି କରିଥିବା ବେଳେ ସୈନିଙ୍କ ସାମ୍ବାଦିକ ସମ୍ମିଳନୀରେ ଆଜି ୩ ଜେଜେପି ନେତା ଉପସ୍ଥିତ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ଜେଜେପିରେ ବିଭାଜନ ସୃଷ୍ଟି ହୋଇଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୩ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିବା ପରେ ସୈନି ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ବୋଲି କଂଗ୍ରେସ ଓ ଜେଜେପି ଦାବି କରିଛନ୍ତି।