ଭାରତରେ ଉତ୍ପାଦନ ହେବ ଜନସନ ଏଣ୍ଡ ଜନସନର କରୋନା ଟିକା, କ୍ବାଡ୍ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ଟିକା ଉତ୍ପାଦନ ଓ ଯୋଗାଣ ପାଇଁ ଆଗେଇ ଆସିଛି ଭାରତ-ଆମେରିକା-ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ସଂଗଠନ । ଆଜି ଆରମ୍ଭ ହୋଇଥିବା ପ୍ରଥମ କ୍ବାଡ୍ ସମ୍ମିଳନୀରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆମେରିକାର ଜନସନ୍ ଏଣ୍ଡ ଜନସନ୍ କମ୍ପାନି ଦ୍ବାରା ବିକଶିତ ଏକକ ଡୋଜ୍ କରୋନା ଟିକା ଭାରତରେ ଉତ୍ପାଦନ କରାଯିବ । ଏଥିପାଇଁ ଆମେରିକା ଓ ଜାପାନ ପାଣ୍ଠି ଯୋଗାଇବେ । ଏହି ଟିକାକୁ ଅଷ୍ଟ୍ରେଲିଆ ପକ୍ଷରୁ ଦକ୍ଷିଣ-ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କୁ ଯୋଗାଇ ଦିଆଯିବ।

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଆଜିର କ୍ବାଡ୍ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଯୋଗଦେଇଥିଲେ । ରାଷ୍ଟ୍ରପତିଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ବାଇଡେନଙ୍କ ଦ୍ବିତୀୟ ଉଚ୍ଚସ୍ତରୀୟ ବହୁରାଷ୍ଟ୍ରୀୟ ସମ୍ମିଳନୀ । ପୂର୍ବରୁ ସେ ଜି-୭ ସମ୍ମିଳନୀରେ ଯୋଗଦେଇଥିଲେ ।

ବିଶ୍ବରେ ବଢିଚାଲିଥିବା ଚୀନର ଆଧିପତ୍ୟକୁ ରୋକିବାକୁ ଏହି କ୍ବାଡ୍ ରଣନୈତିକ ମେଣ୍ଟ ଗଠନ କରାଯାଇଛି । ଗତ ୨୦୧୭ରେ ଏହି ମେଣ୍ଟର ପରିକଳ୍ପନା କରାଯାଇଥିଲା । ଏହି ମେଣ୍ଟର ବଢିଚାଲିଥିବା ପ୍ରଭାବ ଚୀନକୁ ଚିନ୍ତାରେ ପକାଇଦେଇଛି । ଚୀନ ଓ ଋଷିଆ ଏହାକୁ ଏସୀୟ ନ୍ୟାଟୋ ବୋଲି କହୁଛନ୍ତି ।

ସମ୍ବନ୍ଧିତ ଖବର