ଶ୍ରୀନଗର: କଶ୍ମୀରୀ ପଣ୍ଡିତ ରାହୁଲ ଭଟଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି। ଏସଆଇଟି ଗଠନ ସହ ଜମ୍ମୁରେ ରାହୁଲ ଭଟଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଏହା ସହ ରାହୁଲଙ୍କ ଝିଅର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ ଜମ୍ମୁ-କଶ୍ମୀର ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

Advertisment

ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ପରେ ଆପଣା ସମ୍ପ୍ରଦାୟର ସୁରକ୍ଷା ଦାବି କରି ଗତ ସନ୍ଧ୍ୟା ବେ‌ଳ ଠାରୁ ଜମ୍ମୁ ଓ କଶ୍ମୀରୀର କେତେକ ପ୍ରାନ୍ତରେ କଶ୍ମୀରୀ ପଣ୍ଡିତମାନେ ପ୍ରତିବାଦ ଆରମ୍ଭ କରିଥିଲେ।

ଏହା ସହ ଏହି ହତ୍ୟାକୁ ବିରୋଧ କରି ଆଜି ୩୫୦ ଜଣ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଇସ୍ତଫା ଦେଇଥିଲେ। ସମସ୍ତେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଏହି ସମସ୍ତ କାଶ୍ମୀରୀ ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଥିଲେ। ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ କଶ୍ମୀର ଘାଟିରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଇଥିବା କହିଥିଲେ।

ଏହା ପୂର୍ବରୁ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଆଉ କେତେକ ସ୍ଥାନରେ ‘ମହମବତି ପଦଯାତ୍ରା’ ମଧ୍ୟ ଆୟୋଜିତ ହୋଇଥିଲା। ଏନେଇ ପୁଲିସ ୮ଜଣଙ୍କୁ ଅଟକ ରଖିଛି।