ଦୁଇ ମାସ ପାଇଁ ଏଲ୍‌ପିଜି ସିଲିଣ୍ଡର୍ ଗଚ୍ଛିତ ରଖିବା ଓ ଗନ୍ଦେରବଲ୍‌ରେ ସ୍କୁଲ୍ ଖାଲି କରିବାକୁ ପ୍ରଶାସନ ନିର୍ଦେଶ ଦେବାରୁ ଜମ୍ମୁ ଓ କଶ୍ମୀରରେ ଉତ୍କଣ୍ଠା

ଶ୍ରୀନଗର: ପୂର୍ବ ଲଦାଖରେ ଭାରତ-ଚୀନ୍ ବିବାଦ ମଧ୍ୟରେ ଜମ୍ମୁ ଓ କଶ୍ମୀର ପ୍ରଶାସନର ଦୁଇଟି ଭିନ୍ନ ଭିନ୍ନ ଆଦେଶନାମା ସ୍ଥାନୀୟ ଅଧିବାସୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି।

ଅନ୍ୟୂନ ଦୁଇ ମାସ ପାଇଁ ଏଲ୍‌ପିଜି ସିଲିଣ୍ଡର୍‌ ଗଚ୍ଛିତ ରଖନ୍ତୁ ବୋଲି କଶ୍ମୀର ଅଧିବାସୀଙ୍କୁ ଗୋଟିଏ ଆଦେଶରେ ଅନୁରୋଧ କରାଯାଇଛି। ଲଦାଖର କାର୍ଗିଲ୍ ସଂଲଗ୍ନ ଜିଲ୍ଲା ଗନ୍ଦେରବାଲ୍‌ରେ ସ୍କୁଲ୍ ଅଟ୍ଟାଳିକା ଖାଲି କରି ନିରାପତ୍ତା ବଳଙ୍କ ପାଇଁ ରହଣିସ୍ଥଳ ପ୍ରସ୍ତୁତ କରିବାକୁ ଅନ୍ୟ ଏକ ଆଦେଶରେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।

‘ସବୁଠୁ ଜରୁରୀ’ ବୋଲି ଚିହ୍ନିତ କରାଯାଇଥିବା ପ୍ରଥମ ଆଦେଶଟି ଜମ୍ମୁସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ର ରାଜ୍ୟସ୍ତରୀୟ କୋଅର୍ଡିନେଟର୍‌ଙ୍କ ପାଖକୁ ଆସିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୂସ୍ଖଳନ ‌ଘଟି ଜାତୀୟ ରାଜପଥ ଅବରୋଧ ‌ହେଉଥିବାରୁ ଉପତ୍ୟକାରେ ଯଥେଷ୍ଟ ଏଲ୍‌ପିଜି ଗଚ୍ଛିତ କରିବା ଦିଗରେ ସୁନିଶ୍ଚିତ ହୁଅନ୍ତୁ। ଦୁଇ ମାସ ଚଳିବାକୁ ବଟ୍‌ଲିଙ୍ଗ୍ ଏବଂ ଗୋଦାମରେ ଯଥେଷ୍ଟ ପରିମାଣର ଏଲ୍‌ପିଜି ସିଲିଣ୍ଡର୍ ଗଚ୍ଛିତ କର ବୋଲି ତୈଳ କମ୍ପାନିମାନଙ୍କୁ ଫୁଡ୍, ସିଭିଲ୍ ସପ୍ଲାଇଜ୍ ଆଣ୍ଡ୍ କଞ୍ଜୁମର୍ସର ନିର୍ଦେଶକଙ୍କ ଦ୍ବାରା ଜାରି ଏହି ଆଦେଶରେ କୁହାଯାଇଛି।

Image Courtesy of The Hindu

ଦ୍ବିତୀୟ ଆଦେଶରେ ଗନ୍ଦେରବଲ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସେମାନଙ୍କର ଅଟ୍ଟାଳିକା ଖାଲି କରିବାକୁ ଜିଲ୍ଲାର ୧୬ଟି ସ୍କୁଲ୍/ଶିକ୍ଷା ପ୍ରତିଷ୍ଠାନର ମ୍ୟାନେଜ୍‌ମେଣ୍ଟ୍‌କୁ ଅନୁରୋଧ କରିଛନ୍ତି। ଏଥିରେ ଲେଖାଅଛି, ଶ୍ରୀଅମରନାଥଜୀ ଯାତ୍ରା ୨୦୨୦ ଦୃଷ୍ଟିରୁ ଏହି ଶିକ୍ଷା କେନ୍ଦ୍ରଗୁଡ଼ିକରେ ‘ସିଏପିଏଫ୍’ କମ୍ପାନିମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ।

କିନ୍ତୁ, କଶ୍ମୀରର ସ୍ଥାନୀୟ ଅଧିବାସୀ ମନେକରୁଛନ୍ତି କି, ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀର ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ, ଗତ ଫେବ୍ରୁଆରିରେ ବାଲାକୋଟ୍‌ରେ ସାମରିକ ଅଭିଯାନ ପୂର୍ବରୁ ଏହି ଭଳି ଆଦେଶ ସବୁ ଆସିଥିଲା।

 

 

ସମ୍ବନ୍ଧିତ ଖବର