ଜମ୍ମୁ କଶ୍ମୀର: ରାଜୌରିରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜଣେ ମେଜରଙ୍କ ସମେତ ୩ ଯବାନ ସହିଦ

କଶ୍ମୀର: ଜମ୍ମୁକଶ୍ମୀରର ରାଜୌରୀ ଜିଲ୍ଲାରେ ଶନିବାର ପାକିସ୍ତାନୀ ସେନାର ଗୁଳିରେ ଭାରତୀୟ ସେନାର ୩ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟର ଜଣେ ଆର୍ମି ଅଧିକାରୀ ଥିବାବେଳେ ଅନ୍ୟ ୨ଜଣ ଯବାନ ଅଟନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କେରି ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏହି ଘଟଣା ହୋଇଛି। ଏଥିସହ ପାକିସ୍ତାନୀ ଗୁଳିରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ସେନାର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରାଜୌରି ଅଞ୍ଚଳର କେରି ନିକଟରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲଂଘନ ଦେଖିବାକୁ ମିଳିଛି।

ସେନା ଅଧିକାରୀ କହିଛନ୍ତି, ପାକିସ୍ତାନ ବିନା କୌଣସି କାରଣରେ ଗୁଳିଗୋଳା ବର୍ଷଣ କରିଛି। ଏଥିରେ ଭାରତୀୟ ସେନାର ଜଣେ ମେଜରଙ୍କ ସହିତ ୩ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ସହିଦ ହୋଇଥିବା ସେନା କର୍ମୀ ୧୨୦ ଇନଫେଣ୍ଟ୍ରି ବିଗ୍ରେଡ ବାଟାଲିୟନରେ କାର୍ଯ୍ୟରତ ଥିଲେ। ନିକଟରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲା। ପାକିସ୍ତାନ ଏ ବର୍ଷ ଜମ୍ମୁ କଶ୍ମୀରରେ ଅନ୍ତର୍ଜାତୀୟ ସୀମାରେ ୭୨୫ରୁ ଅଧିକ ଥର ଅସ୍ତ୍ରବିରତି ଉଲଂଘନ କରିଛି। ଗତ ବର୍ଷ ଠାରୁ ଏହା ଅଧିକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର