ଭାଙ୍ଗିଲା କଶ୍ମୀର ବିଧାନସଭା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରିଥିବା ବେଳେ ରାଜ୍ୟପାଳ ଆଜି ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଡିସେମ୍ବର ୧୯ରେ ରାଜ୍ୟପାଳ ଶାସନର ଅବଧି ସରୁଥିବାରୁ ଏହା ପୂର୍ବରୁ ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାକୁ ଆଜି ଦିନତମାମ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଥିଲା। ଦୁଇଟି ମେଣ୍ଟର ନେତାମାନେ ସରକାର ଗଠନ ପାଇଁ ଦାବି ଜଣାଇବା ସହିତ ରାଜ୍ୟପାଳଙ୍କୁ ସାକ୍ଷାତ ପାଇଁ ସମୟ ମାଗିଥିଲେ। କିନ୍ତୁ ଆଲୋଚନା କରିବା‌ ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ସନ୍ଧ୍ୟାରେ ବିଧାନସଭା ଭାଙ୍ଗି ଦେଇଛନ୍ତି।

ଗତ ଜୁନ୍‌ ମାସରେ‌ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା। ଆସନ୍ତା ଡିସେମ୍ବରରେ ଏହାର ଅବଧି ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ସରକାର ଗଠନ ପାଇଁ ପିଡିପି, କଂଗ୍ରେସ ଏବଂ ନେସନାଲ କନଫେରେନ୍ସ ହାତ ମିଳାଇଥିଲେ। ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିବା ଦାବି କରି ପିଡିପି ମୁଖ୍ୟ ମେହବୁବା ମୁଫତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପତ୍ର ଲେଖିଥିଲେ ଏବଂ ଖୁବ୍‌ଶୀଘ୍ର ସରକାର ଗଠନ ପାଇଁ ପିଡିପି ଦାବି କରିବ ବୋଲି କହିଥିଲେ। ତେବେ ଏହି ପତ୍ରକୁ ରାଜଭବନକୁ ଫ୍ୟକ୍ସ କରାଯାଇଥିଲେ ମଧ୍ୟ ତାହା ସେଠାରେ ପହଞ୍ଚି ପାରିନାହିଁ ଏବଂ ରାଜ୍ୟପାଳଙ୍କ ସହ ଫୋନ୍‌ରେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା ବୋଲି ମେହବୁବା କହିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ପତ୍ରକୁ ମେହବୁବା ସାର୍ବଜନୀନ କରିଛନ୍ତି। କଂଗ୍ରେସ ଏବଂ ନେସନାଲ କନ୍‌ଫରେନ୍‌ସର ସମର୍ଥନରେ ପିଡିପି ସରକାର ଗଠନ କରିବ ବୋଲି ମେହବୁବା ଏଥିରେ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ପିଡିପିର ସରକାର ଗଠନ ପାଇଁ ପତ୍ର ପଠାଯିବାର କିଛି ମିନିଟ୍‌ ମଧ୍ୟରେ ପିପୁଲ୍‌ସ କନ୍‌ଫରେନ୍ସ ସଭାପତି ସଜାଦ ଲୋନ ମଧ୍ୟ ସରକାର ଗଠନ ପାଇଁ ଦାବି କରିଥିଲେ। ସେ ରାଜ୍ୟପାଳଙ୍କ ପିଏଙ୍କୁ ହ୍ବାଟ୍ସ ଆପ୍‌ରେ ଦେଇଥିବା ପତ୍ରରେ ତାଙ୍କ ପଛରେ ବିଜେପି ଏବଂ ଅନ୍ୟ ୧୮ ଜଣ ବିଧାୟକଙ୍କ ସମର୍ଥନ ଥିବା କହିଥିଲେ।

ଆଜି ନେସନାଲ କନ୍‌ଫରେନ୍‌ସ ମଧ୍ୟ କଂଗ୍ରେସ-ପିଡିପି ସରକାରକୁ ବାହାରୁ ସମର୍ଥନ ଦେବ ବୋଲି କହିଥିଲା। ଏ ବାବଦରେ ଏନ୍‌ସି ନେତା ଓମାର ଅବଦୁଲ୍ଲା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତିଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଜି ଦିଲ୍ଲୀରେ ପିଡିପି-କଂଗ୍ରେସ ନେତାମାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀରରେ ମେଣ୍ଟ ସରକାର ଗଠନ ପାଇଁ ଆଲୋଚନା ହୋଇଥିଲା। ତେବେ ଉଭୟ ଦଳ କୌଣସି ଆନୁଷ୍ଠାନିକ ଘୋଷଣା କରିବା ପୂର୍ବରୁ ରାଜ୍ୟ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଥିଲେ।

ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାରର ପତନ ପରଠାରୁ ସେଠାରେ ଜୁନ୍‌ ୧୯ରୁ ରାଜ୍ୟପାଳ ଶାସନ ଲାଗୁ ହୋଇଛି ଏବଂ ଆସନ୍ତା ମାସ ୧୯ ତାରିଖରେ ରାଜ୍ୟପାଳ ଶାସନର ଅବଧି ସରିବ। ୮୭ ଆସନ ବିଶିଷ୍ଟ ବିଧାନସଭାରେ ପିଡିପିର ୨୮ ବିଧାୟକ ଥିବା ବେଳେ ନ୍ୟାସନାଲ କନ୍‌ଫରେନ୍ସର ୧୫ ଏବଂ କଂଗ୍ରେସର ୧୨ ଜଣ ବିଧାୟକ ଅଛନ୍ତି। ରାଜ୍ୟରେ ବିଜେପିର ବିଧାୟକ ସଂଖ୍ୟା ହେଉଛି ୨୫।

ରାଜ୍ୟରେ କଂଗ୍ରେସ-ପିଡିପି-ଏନ୍‌ସି ମେଣ୍ଟ ସରକାର ଗଠନ ପାଇଁ ଯେଉଁ ପ୍ରୟାସ ଚଳାଇଥିଲେ ତାହା ପାକିସ୍ତାନ ପ୍ରାୟୋଜିତ ଥିଲା ବୋଲି ବିଜେପି କହିଛି। ରାଜ୍ୟର ଅସଲ ସ୍ଥିତିକୁ ଏହି ଦଳମାନେ ଅଣଦେଖା କରି କ୍ଷମତା ଦଖଲ ପାଇଁ ଚଳାଇଥିବା ପ୍ରୟାସ ପଣ୍ଡ ହୋଇଯାଇଛି ବୋଲି ଜମ୍ମୁ ବିଜେପି ଶାଖା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର