ଶ୍ରୀନଗର: ମଙ୍ଗଳବାର ଦିନ ଶ୍ରୀନଗରର ସୌରା ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜମ୍ମୁ ଓ କଶ୍ମୀରର ଜଣେ ପୁଲିସ ସହିଦ ହୋଇଛନ୍ତି। ଗୁଳି ଚୋଟରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ, ସହିଦ ହୋଇଥିବା ଜମ୍ମୁ ଓ କଶ୍ମୀରର ଉକ୍ତ ପୁଲିସ ଅଧିକାରୀଙ୍କ ନାମ ସୈଫୁଲ୍ଲା କ୍ବାଦ୍ରି। ଘର ବାହାରେ ଥିବା ବେଳେ କ୍ବାଦ୍ରିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।
ବାପାଙ୍କୁ ରକ୍ଷା କରିବାକୁ ଯାଇ କ୍ବାଦ୍ରିଙ୍କ ୯ ବର୍ଷୀୟ ଝିଅ ମଧ୍ୟ ଆହତ ହୋଇଛନ୍ତି। ଝିଅର ବାହୁରେ ଗୁଳି ଚୋଟ ଲାଗିଛି। ସେ ଚିକିତ୍ସାଧୀନା ଅଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରଖାନାସୂତ୍ରରୁ ପ୍ରକାଶ।
ଗୁଳିକାଣ୍ଡ ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସେ ଅଞ୍ଚଳକୁ କର୍ଡନ୍ କରାଯାଇ ତଲାସ କରାଯାଉଛି ବୋଲି ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।
Image Courtesy of India Todayକଶ୍ମୀରର ପୁଲିସ୍ ଇନ୍ସ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାର କହିଛନ୍ତି ଯେ, ନିର୍ମମ ଆତଙ୍କବାଦ କାଣ୍ଡ ଘଟାଇଥିବା ବ୍ୟକ୍ତିବିଶେଷଙ୍କୁ ଅବିଳମ୍ବେ ଧରାଯାଇ ସେମାନଙ୍କର ବିଚାର କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀମାନଙ୍କ ପରିବାର ସମେତ ସମଗ୍ର ସମାଜ ଜଣେ ନିରସ୍ତ୍ର ପୁଲିସ ଅଧିକାରୀ ଓ ତାଙ୍କ ୯ ବର୍ଷୀୟ ଝିଅ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ଉଚିତ।
ଘଟଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଶ୍ରୀନଗରର ସୌରାରେ ହୋଇଥିବା କାପୁରୁଷ ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି। ଏହି ମରଣାନ୍ତକ ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଶାସ୍ତି ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଜନସାଧାରଣଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି। ସହିଦ ପୁଲିସ କର୍ମଚାରୀ ‘ଏସ୍ଜିସିଟି’ ସୈଫୁଲ୍ଲା କ୍ବାଦ୍ରିଙ୍କୁ ମୁଁ ଅଭିବାଦନ ଜଣାଉଛି। ଦେଶ ପାଇଁ ତାଙ୍କର ସେବା ଏବଂ ଆତ୍ମବଳି ସ୍ମରଣୀୟ ହୋଇ ରହିବ। ଆତ୍ମୀୟହରା ପରିବାର ପ୍ରତି ମୋର ସମବେଦନା। ତାଙ୍କ ଝିଅର ଆଶୁ ଆରୋଗ୍ୟ କାମନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/cop.jpg)