ନିରାପତ୍ତା ବଳ ସହ ଗୁଳି ବିନିମୟ କରି ବାରମୂଳାରେ ‘ଏଲ୍‌ଇଟି’ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଅନ୍ତର୍ଗତ ବିନେର୍‌ ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ନିହତ ଆତଙ୍କବାଦୀ ହେଉଛନ୍ତି ବାରମୂଳା ଅନ୍ତର୍ଗତ ପଟ୍ଟାନ୍‌ବାସୀ ଇର୍ଶାଦ୍‌ ଅହମଦ୍‌। ଆତଙ୍କବାଦୀ ସଂଗଠନ ‘ଲସ୍କର୍‌-ଏ-ତୈବା’ ସହିତ ତାଙ୍କର ଯୋଗାଯୋଗ ଥିଲା।

ଜମ୍ମୁ ଓ କଶ୍ମୀର ପୁଲିସ କହିଛି, ୨୦୦୫ ମେ ମାସରୁ ଇର୍ଶାଦ୍‌ ଅହମଦ୍‌ ସକ୍ରିୟ ରହିବା ସହ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ ସହିତ ତାଙ୍କର ସମ୍ପୃକ୍ତି ଥିଲା। ନିହତ ଆତଙ୍କବାଦୀ ନିକଟରୁ ଗୋଟାଏ ଏ.କେ. ରାଇଫଲ୍‌, ଦୁଇଟି ମାଗାଜିନ୍‌ ଏବଂ ୩୦ ରାଉଣ୍ଡ୍‌ ଗୁଳି ଉଦ୍ଧାର କରାଯାଇଛି।

ଆଉ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳରେ ଖାନ୍‌ତଲାସ ଚାଲିଛି।

Image Courtesy of India TV

ଶନିବାର ସକାଳେ ମଧ୍ୟ ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଗୋଟାଏ ଆବାସିକ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସୂଚନା ମିଳିଥିଲା। ନିହତ ଆତଙ୍କବାଦୀଜଣକ ସେମାନଙ୍କ ମଧ୍ୟରୁ ଜଣେ। ଦ୍ବିତୀୟ ଆତଙ୍କବାଦୀକୁ ଖୋଜି ବାହାର କରିବା ଲାଗି ତଲାସ ଚାଲିଥିଲା।

ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବାରମୂଳା ଜିଲ୍ଲାରକ୍ରୀରି ଅଞ୍ଚଳ ଅନ୍ତର୍ଗତ ୱାନିଗାମ୍‌ ବାଲାରେ ନିରାପତ୍ତା ବଳ ‘କଡର୍ନ୍‌ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇଥିଲେ। ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚାଳନା କରିଥ‌ିଲେ।

ଏହି ଏନ୍‌କାଉଣ୍ଟର୍‌ରେ କୌଣସି ସାଧାରଣ ନାଗରିକ କି, ନିରାପତ୍ତା ବଳ କର୍ମଚାରୀ ମୃତାହତ ‌ହୋଇ ନ ଥିଲେ।

ସମ୍ବନ୍ଧିତ ଖବର