ଶତ୍ରୁଙ୍କ ଗୁଳିର ଶିକାର ହେବା ସତ୍ତ୍ବେ ତିନିଜଣ ଆତଙ୍କବାଦୀଙ୍କୁ କରିଥିଲେ ନିପାତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଅର୍ଥାତ ଗତ ବୁଧବାର ବୀରତ୍ବ ପୁରସ୍କାର ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାର ଦେଶ ପାଇଁ ନିଷ୍ଠାପର ଭାବେ କାମ କରିଥିବା  ୪୧୨ଜଣ ବୀର ଯବାନଙ୍କୁ ଏହି ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରିଛନ୍ତି । ଏଥିମଧ୍ୟରୁ ୬ଜଣଙ୍କୁ  କୀର୍ତ୍ତି ଚକ୍ର ଓ ୧୫ ଜଣଙ୍କୁ ବୀର ଯବାନ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ଏଥିମଧ୍ୟରେ ଜମ୍ମୁ -କଶ୍ମୀର ପୁଲିସର କନଷ୍ଟେବଳ ମୁଦାସିର ଅହମଦ ଶେଖଙ୍କ ନାମ ରହିଛି।

ମୁଦାସିର ଅହମଦ ‌ଶେଖ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ଅସାଧାରଣ ସାହାସ ପ୍ରଦର୍ଶନ କରି ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଛନ୍ତି।

ମୁଦାସିର ଅହମଦ ଶେଖ ବାରାମୁଳାରେ ୨୦୨୨ ମଇ ୨୫ ତାରିଖ ଦିନ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରୁଥି‌ବା ସମୟରେ ସହିଦ ହୋଇଯାଇଥିଲେ। ଏହି ଅପରେସନରେ ତିନିଜଣ ଆତଙ୍କବାଦୀଙ୍କୁ ସେ ମାରି ଗଡ଼ାଇ ଦେଇଥି‌ଲେ। ଆତଙ୍କବାଦୀଙ୍କ ଗୁଳିବିନିମୟ ସମୟରେ ମୁଦାସିର ଅହମଦ ଶେଖ ସାହାସ ଦେଖାଇ ଦେଶର ସୁରକ୍ଷା ପାଇଁ ଆଗକୁ ବଢ଼ିଥିଲେ, ନିଜ ଶତ୍ରୁଙ୍କ ଗୁଳି ଖାଉଥିବା ସତ୍ତ୍ବେ ତିନିଜଣ ବିଦେଶୀ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

ବାରାମୁଳାରେ ଯବାନଙ୍କ ଅପରେସନ ଚାଲିଥିଲା। ଆତଙ୍କବାଦୀଙ୍କ ଲକ୍ଷ୍ୟ ଅମରନାଥ ଯାତ୍ରା ଉପରେ ରହିଥିଲା। ମୁଦାସିର ଅହମଦ ‌ଶେଖ ଆତଙ୍କବାଦୀଙ୍କ ଗାଡ଼ିର ଚିହ୍ନଟ କରି ଦେଇଥିଲେ, କିନ୍ତୁ ବିପଦକୁ ଦେଖି ଆତଙ୍କବାଦୀମାନେ ଗୁଳି କରିବା ଆରମ୍ଭ କରି ଦେଇଥିଲେ। ମୁଦାସିର ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କ ଅଭିମୁଖେ ମାଡ଼ିଯାଇ କାରରୁ ଜଣେ ଆତଙ୍କବାଦୀକୁ ଘୋଷ‌ାରି ଆଣିଥିଲେ।

ଏହାପରେ ସେଠାରେ ଥିବା ଅନ୍ୟ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁରୁତର ଆହତ ହେବା ସତ୍ତ୍ବେ ମୁଦାସିର ଅହମଦ ‌ଶେଖ ଗୋଟିଏ ହାତରେ ଜଣେ ଆତଙ୍କବାଦୀଙ୍କୁ ଧରି ସେ ବି ଗୁଳି କରିବା ଆରମ୍ଭ କରିଥିଲେ। ତିନିଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ ଆଉ ଦେଶ ପାଇଁ ସେ ସହିଦ ହୋଇଯାଇଥିଲେ।

 

 

ସମ୍ବନ୍ଧିତ ଖବର