ଶ୍ରୀନଗରରେ ପୁଣି ଗ୍ରେନେଡ୍‌ ଆକ୍ରମଣ: ୧ମୃତ, ୨୫ଆହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଣି ଥରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି । ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ଜଣେ ଅଣକଶ୍ମୀରୀ  ଯୁବକ ନିହତ ହୋଇଛନ୍ତି । ଆକ୍ରମଣଟି ମୌଲାନା ଆଜାଦ୍‌ ରୋଡ୍‌ରେ ହୋଇଥିବା ବେଳେ ୨୫ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ଘେରି ନେଇଛନ୍ତି । ୧୫ଦିନ ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ସମିପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି । ପୁଲିସର କହିବାନୁସାରେ, ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କୁ ଗ୍ରେନେଡ୍‌ ଫିଙ୍ଗିଥିଲେ ମଧ୍ୟ ତାହା ରାସ୍ତା କଡ଼ରେ ଯାଇ ପଡ଼ିଥିଲା । ଯାହାଦ୍ୱାରା ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଶିକାର ହୋଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୨୯ରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ, ଅକ୍ଟୋବର ୨୬ରେ ଶ୍ରନଗରର କାକାସରାଏରେ, ଅକ୍ଟୋବର ୨୪ରେ କୁଲଗାମରେ ଏବଂ ଅକ୍ଟେବାର ୭ରେ ହରି ସିଂହ ହାଇଟ୍‌ ଷ୍ଟ୍ରିଟ୍‌ରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ ।

ସମ୍ବନ୍ଧିତ ଖବର