ଶ୍ରୀନଗର: ଶନିବାର ଦିନ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେତୁ ବିହାରର ଜଣେ ରାସ୍ତାକଡ଼ ଗୁପ୍ଚୁପ୍ ବିକ୍ରେତା ଓ ଉତ୍ତର ପ୍ରଦେଶର ଜଣେ ବଢ଼େଇ ନିହତ ହୋଇଛନ୍ତି।
ପ୍ରଥମ ଘଟଣାଟି ଶନିବାର ସନ୍ଧ୍ୟା ୬.୪୦ରେ ଶ୍ରୀନଗରର ଇଦ୍ଗା ଅଞ୍ଚଳରେ ଘଟିଛି। ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ୩୬ ବର୍ଷିୟ ଅରବିନ୍ଦ କୁମାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଗୁଳି ଚୋଟରେ ଆହତ କୁମାରଙ୍କୁ ତୁରନ୍ତ ‘ଗଭର୍ଣ୍ଣମେଣ୍ଟ୍ ମେଡିକାଲ୍ କଲେଜ୍ ଶ୍ରୀନଗର’କୁ ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
ଅରବିନ୍ଦ କୁମାର ହେଉଛନ୍ତି ବିହାରର ଲୋକ ଏବଂ ସେ ଶ୍ରୀନଗର ରାସ୍ତାକଡ଼ରେ ଗୁପ୍ଚୁପ୍ ଦୋକାନ ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ଉପାର୍ଜନ ଆଶାରେ କୁମାର ତିନି ମାସ ପୂର୍ବେ ଜମ୍ମୁ ଓ କଶ୍ମୀରକୁ ଯାଇଥିଲେ ବୋଲି ଗଣମାଧ୍ୟମକୁ ତାଙ୍କ ବାପା କହିଛନ୍ତି।
ଦ୍ୱିତୀୟ ଆକ୍ରମଣ ଘଟିଛି ପୁଲ୍ଓ୍ଵାମାର ଲିଟର୍ରେ। ସେଠାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସଗିର୍ ଅହମଦ୍ ନାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ବାସିନ୍ଦା ସଗିର୍ ପୁଲ୍ଓ୍ଵାମାରେ ବଢ଼େଇ କାମ କରୁଥିଲେ। ଗୁଳି ଚୋଟରେ ସାଙ୍ଘାତିକ ଆହତ ହୋଇଥିବା ଚିକିତ୍ସା ନିମନ୍ତେ ସଗିର୍ଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆତଙ୍କବାଦୀଙ୍କଦ୍ୱାରା ନିହତ ଅରବିନ୍ଦ କୁମାର ଶାହା ଏବଂ ସଗିର୍ ଅହମଦ୍ଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରି ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି।
ସେଥିରେ ଉଲ୍ଲେଖ ଅଛି, ଏଭଳି ଦୁଃଖଦ ବେଳାରେ ଶୋକ ଜର୍ଜରିତ ପରିବାର ପ୍ରତି କେନ୍ଦ୍ରଶାସିତ ଅଞ୍ଚଳର ସରକାର ସମବେଦନା ଜ୍ଞାପନ କରୁଛନ୍ତି। ଏହି ଘୃଣ୍ୟ ଆକ୍ରମଣକାରୀଙ୍କୁ ଅବିଳମ୍ବେ ଧରାଯାଇ ଶାସ୍ତି ଦିଆଯିବ। ଆତଙ୍କବାଦୀ ଓ ସେମାନଙ୍କ ଚକ୍ର ଦଳନ କରିବା ଲାଗି ଆମେ ଆମର ଉଦ୍ୟମ ତୀବ୍ରତର କରିଛୁ। ନିରୀହ ସାଧାରଣ ନାଗରିକମାନଙ୍କୁ ହତ୍ୟା କରିଥିବା ହେତୁ ସେମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରାଯିବ। ଏକଜୁଟ ହୋଇ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାମିଲ ହେବା ପାଇଁ ମୁଁ ଜନସାଧାରଣଙ୍କୁ ନିବେଦନ କରୁଛି।