ପୁଲିସଙ୍କ ଘରେ ପଶି ଚାକିରି ଛାଡ଼ିବାକୁ କହିଲେ ଜମ୍ମୁ ଓ କଶ୍ମୀର ଆତଙ୍କବାଦୀ

ଶ୍ରୀନଗର: ସୋମବାର ଦିନ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବଳପୂର୍ବକ ତିନି ଜଣ ପୁଲିସବାଲାଙ୍କ ଘରେ ପଶି ତାଙ୍କୁ ମାରଧର କରିବା ସହ ଚାକିରି ନ ଛାଡ଼ିଲେ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଉପତ୍ୟକାରେ ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସମେତ ନିରାପତ୍ତା କର୍ମଚାରୀଙ୍କୁ ଆକ୍ରମଣ କରିବାରେ ଏହା ହେଉଛି ଗତ ତିନି ଦିନ ମଧ୍ୟରେ ତୃତୀୟ ଘଟଣା।

ଶନିବାର ଦିନ ଏସ୍‌ପିଓ ମୁଦାସିର ଅହମଦ ଲୋନ୍‌ଙ୍କୁ ଅପହରଣ କରାଯାଇ ପୁଲ୍‌ଓ୍ଵାମାର ଟ୍ରାଲ୍‌ ଅଞ୍ଚଳରେ ମାରଧର କରାଯାଇଥିଲା। ପରେ ଚାକିରି ଛାଡ଼ିବାକୁ ଧମକ ଦିଆଯାଇ ତାଙ୍କୁ ଛାଡ଼ି ଦିଆଯାଇଥିଲା। ପୁଲିସରେ ଲୋନ୍‌ ଜଣେ ପାଚକ ଭାବେ କାର୍ଯ୍ୟ କରନ୍ତି।

ରବିବାର ଦିନ ଜମ୍ମୁ ଓ କଶ୍ମୀରର ସିଆର୍‌ପିଏଫ୍‌ ଯବାନ ନସୀର ଅହମ୍ମଦ ରାଠର୍‌ଙ୍କୁ ଆତଙ୍କବାଦୀମାନେ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ନୈରା ଠାରେ ଥିବା ତାଙ୍କ ଘରେ ହତ୍ୟା କରିଥିଲେ। ପୁଲିସବାଲାଙ୍କୁ ଅପହରଣ କରିବା, ହତ୍ୟା କରିବା ଓ ତାଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବା ରାଜ୍ୟରେ ଏକ ନିୟମିତ ଘଟଣା ପାଲଟି ଗଲାଣି।

ଅଧିକାରୀମାନେ କହନ୍ତି: ଏ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ୧୭ ଜଣ ସେନା, ୨୦ ଜଣ ପୁଲିସବାଲା ଏବଂ ୨ ଜଣ ସିଆରପିଏଫ୍‌ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୩୯ ଜଣ ନିହତ ଓ ଅନ୍ୟ ୯୬ ଜଣ ଆହତ ହୋଇଛନ୍ତି।

ମଙ୍ଗଳବାର ଦିନ ଉତ୍ତର କଶ୍ମୀର ଅନ୍ତର୍ଗତ କୁପଓ୍ଵାଡ଼ା ଜିଲ୍ଲାରେ ଆତଙ୍କବାଦୀମାନେ ମହମ୍ମଦ ଇଶାକ୍‌ ନାମକ ଜଣେ ପୁଲିସକୁ କାବୁ କରି ତାଙ୍କ ଠାରୁ ସର୍ଭିସ୍‌ ରାଇଫଲ୍‌ ଛଡ଼ାଇ ନେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅବଦୁଲ ହକ୍‌ ଖାଁ ସେ ଅଞ୍ଚଳ ପରିଦର୍ଶନରେ ଆସୁଥିବା ଯୋଗୁଁ ଇଶାକ୍‌ଙ୍କୁ ଅନ୍ୟ ପୁଲିସବାଲାଙ୍କ ସହ ସେଠାରେ ମୁତୟନ କରାଯାଇଥିଲା।

ଜିଲ୍ଲାରେ ପ୍ରଥମ ଥର ଲାଗି ଏ ପରି ଘଟିଥିବାରୁ ଘଟଣାଟି ଅତୀବ ସାଙ୍ଘାତିକ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର