ହଲମତ୍‌ପୋରାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଜାରି; ୫ ସୁରକ୍ଷା କର୍ମୀ ସହିଦ

ଶ୍ରୀନଗର: ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଜମ୍ମୁ- କଶ୍ମୀରର କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଲମତ୍‌ପୋରା ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କ ମଧ୍ୟରେ ଚାଲିଥିବା ଏକ ଏନ୍‌କାଉଣ୍ଟରରେ ଦୁଇଜଣ ପୋଲିସ୍‌ କର୍ମଚାରୀ ସହିଦ ହୋଇଥିବା ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଲମତ୍‌ପୋରା ଜଙ୍ଗଲ ମଧ୍ୟରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସେନାକୁ ନିର୍ଦ୍ଧିଷ୍ଟ ସୂଚନା ମିଳିବା ପରେ ସେନା ପକ୍ଷରୁ ଗତ ମଙ୍ଗଳବାର ଅପରାହ୍ନରୁ ଏହି ଅଞ୍ଚଳରେ ସେନାର ଅପରେସନ୍‌ ଆରମ୍ଭ ହୋଇଥିଲା। ମଙ୍ଗଳବାର ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ପରେ ସଂପୃକ୍ତ ଜଙ୍ଗଲ ମଧ୍ୟରେ ଅଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସନ୍ଦେହ କରି ସେନା କର୍ତ୍ତୃପକ୍ଷ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଆଜି ସେନା ବାହିନୀ ଏବଂ ଜମ୍ମୁ- କଶ୍ମୀର ପୋଲିସ୍‌ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାବେଳେ ହଲମତ୍‌ପୋରା ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା କେତେକ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜମ୍ମୁ- କଶ୍ମୀର ପୋଲିସ୍‌ର ୫ ଜଣ କର୍ମଚାରୀ ସହିଦ ହୋଇଛନ୍ତି ବୋଲି କହିଛନ୍ତି ସେନା ପ୍ରବକ୍ତା କର୍ଣ୍ଣେଲ ରାଜେଶ୍‌ କାଲିଆ।

ଏହି ରିପୋର୍ଟ ଲେଖା ଯିବା ବେଳକୁ ବି ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଚାଲିଥିବା ସେ କହିଛନ୍ତି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର