ଝାଡ଼ଖଣ୍ଡ: ମହିଳା ଆଇଏଏସ୍‌ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ କଲେ ନିଜର ନବଜାତକକୁ; ଜାଣନ୍ତୁ କାହିଁକି?

ରାଞ୍ଚି: ଦେଶର ପଛୁଆ ଓ ଅନୁନ୍ନତ ରାଜ୍ୟ ରୂପେ ବିବେଚିତ ହେଉଥିବା ଝାଡ଼ଖଣ୍ଡରେ ନିଯୁକ୍ତ ଥିବା ଜନୈକା ମହିଳା ଆଇଏଏସ୍‌ ଅଧିକାରୀ ଯେଉଁ କାର୍ଯ୍ୟ କରିଛନ୍ତି ତାହାକୁ ଏବେ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏଥିସହ ସଂପୃକ୍ତା ମହିଳା ଆଇଏଏସ୍‌ଙ୍କ ଏହି କାର୍ଯ୍ୟକୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବା ପାଇଁ ମିଳିଛି ଯେ କିରଣ ପାସି ନାମକ ସଂପୃକ୍ତା ମହିଳା ଆଇଏଏସ୍‌ ଅଧିକାରୀ ଏବେ ଝାଡ଼ଖଣ୍ଡର ଗୋଡ଼ା ଜିଲ୍ଲାରେ ଡେପୁଟି କମିଶନର ଭାବେ ଅବସ୍ଥାପିତ ଅଛନ୍ତି। କିରଣ, ଗର୍ଭବତୀ ହେବା ପରେ ତାଙ୍କ ନବଜାତକକୁ କୌଣସି ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ଥିବା ଘରୋଇ ହସ୍ପିଟାଲରେ ଜନ୍ମ ଦେଇ ନାହାନ୍ତି। ବରଂ ସେଇ ଅନୁନ୍ନତ ଗୋଡ଼ା ଜିଲ୍ଲାର ଅତ୍ୟାଧୁନିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଛନ୍ତି। ଏହି ନବଜାତକଟି ତାଙ୍କର ଦ୍ୱିତୀୟ ସନ୍ତାନ ଥିବାବେଳେ ଅସ୍ତ୍ରୋପଚାର ଜରିଆରେ ଗତକାଲି ସେ ଏହାକୁ ଜନ୍ମ ଦେଇଥିଲେ। ଏବେ ମା’ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର।

Inshorts

ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରସବ ପୂର୍ବରୁ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତାଙ୍କ ପ୍ରସବରେ ଅସୁବିଧା ରହିଥିବା ଜାଣିବା ପରେ ତାଙ୍କୁ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ପ୍ରସବ କରାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ, କାଳେ ତାଙ୍କର ଏପରି କାର୍ଯ୍ୟ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରୁ ଜିଲ୍ଲାବାସୀଙ୍କ ଆସ୍ଥା ତୁଟାଇ ଦେବ ସେଇ ଆଶଙ୍କାରେ ସେ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ପ୍ରସବ କରାଇବାକୁ ଜିଦ୍‌ ଧରିଥିଲେ।

ଏ ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମହିଳା ଆଇଏଏସ୍‌ ଅଧିକାରୀ ପାସିଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ରାଜ୍ୟବାସୀଙ୍କ ବିଶ୍ୱାସ ଜନ୍ମାଇବାକୁ ଯେଉଁ ପଦକ୍ଷେପ ନେଲେ ତାହା ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର