ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅକଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ଭୁବନେଶ୍ବର :  ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଅକଳରେ ପଡ଼ିଯାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । କହିବାକୁ ଗଲେ ଦଳର ମୁଖ୍ୟ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଧର୍ମସଂକଟରେ ପଡ଼ିଯାଇଛନ୍ତି ।

ଏହାର କାରଣ ହେଉଛି ବିରୋଧୀ ଦଳମାନଙ୍କ ପକ୍ଷରୁ ଏକ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରଶେଖର ରାଓ କରିଥିବା ଉଦ୍ୟମକୁ ହେମନ୍ତ ହିଁ ପ୍ରଥମେ ସମର୍ଥନ କରିଥିଲେ । କିନ୍ତୁ ବିଜେପି ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ଜେଏମଏମ ପାଇଁ ସ୍ଥିତି ଗୋଳମାଳିଆ ହୋଇଯାଇଛି । କାରଣ ଆଦିବାସୀ ସ୍ବାର୍ଥ ପାଇଁ ଲଢୁଥିବା ଦାବି କରୁଥିବା ଜେଏମଏମ ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିବାର ରିସ୍କ ନେବାକୁ ଚାହୁଁନାହିଁ । ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ହେମନ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ଦ୍ରୌପଦୀଙ୍କୁ ହେମନ୍ତ ଯଥେଷ୍ଟ ସମ୍ମାନ କରନ୍ତି । ଏହି କାରଣରୁ ଗତ ବୁଧବାରଦିନ ଜେଏମଏମ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା ଯେ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ଜଣେ ଯୋଗ୍ୟ ପ୍ରାର୍ଥୀ ।

ଅନ୍ୟପକ୍ଷରେ ବିରୋଧୀ ପକ୍ଷର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କର ମଧ୍ୟ ଝାଡ଼ଖଣ୍ଡ ସହ ସଂପର୍କ ରହିଛି । ସେ ରାଜ୍ୟର ହଜାରିବାଗ ନିର୍ବାଚନ ମଣ୍ଡଳୀରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିଲେ ।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ବିଜେଡ଼ି ଓ ଓ୍ବାଇଏସଆର କଂଗ୍ରେସର ସମର୍ଥନ ଜରୁରୀ ଥିଲା । ଜଣେ ଆଦିବାସୀ ନେତ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏନଡିଏ ଇତି ମଧ୍ୟରେ ବିଜେଡି ଓ ଓ୍ବାଇଏସଆର କଂଗ୍ରେସର ସମର୍ଥନ ହାସଲ କରିଛି । ଜେଏମଏମର ସମର୍ଥନ ମିଳିବା ପରେ ଏନଡିଏ ପାଇଁ ସ୍ଥିତି ଆହୁରି ସୁବିଧାଜନକ ହେବ ।

କେବଳ ଜେଏମଏମ ନୁହେଁ, ଦେଶର ଅନେକ ଆଦିବାସୀ ସାଂସଦ ଓ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର