ୟୁପିଏକୁ ଝଟକା ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଜେଏମଏମ୍

ରାଞ୍ଚି : ରାଷ୍ଟ୍ରପତି ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ଏକ ବଡ଼ ଝଟକା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଏହି ଦଳ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ।

ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସର ମେଣ୍ଟ ସରକାର ଥିବାବେଳେ ଜେଏମଏମର ଏହି ନିଷ୍ପତ୍ତି କଂଗ୍ରେସକୁ କ୍ଷୁବ୍ଧ କରିବ ।

ଜେଏମଏମପକ୍ଷରୁ ଆଜି ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଜଣେ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ଭାରତରେ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି । ଏଣୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ।

ଏନଡିଏ ପକ୍ଷରୁ ମୁର୍ମୁଙ୍କ ନାମ ଘୋଷଣା ପରେ ଜେଏମଏମ ଧର୍ମସଂକଟରେ ପଡ଼ିଯାଇଥିଲା । ଏହାର କାରଣ ହେଉଛି ବିରୋଧୀ ଦଳମାନଙ୍କ ପକ୍ଷରୁ ଏକ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରଶେଖର ରାଓ କରିଥିବା ଉଦ୍ୟମକୁ ଜେଏମଏମ ମୁଖ୍ୟ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହିଁ ପ୍ରଥମେ ସମର୍ଥନ କରିଥିଲେ । କିନ୍ତୁ ବିଜେପି ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ଜେଏମଏମ ପାଇଁ ସ୍ଥିତି ଗୋଳମାଳିଆ ହୋଇଯାଇଥିଲା । କାରଣ ଆଦିବାସୀ ସ୍ବାର୍ଥ ପାଇଁ ଲଢୁଥିବା ଦାବି କରୁଥିବା ଜେଏମଏମ ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିବାର ରିସ୍କ ନେବାକୁ ଚାହୁଁନଥିଲା ।

 

ସମ୍ବନ୍ଧିତ ଖବର