ଜେଏନୟୁର ପରିବେଶ ଶାନ୍ତ, ଆଜିଠାରୁ ଆରମ୍ଭ ହେବ ପୁଣି ପାଠପଢ଼ା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରାଳୟ କିଛି ଦିନ ଧରି ବିରୋଧ ପ୍ରଦର୍ଶନକାରୀ ଜେଏନୟୁ ଛାତ୍ର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏବଂ କୁଳପତିଙ୍କୁ ନେଇ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଛି । ଏହା ଫଳରେ ଅଶାନ୍ତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପୁଣି ଶାନ୍ତି ଫେରି ଆସିଥିବା କୁହାଯାଉଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି (ଜାନୁଆରୀ ୧୩)ଠାରୁ ପାଠପଢ଼ା ଆରମ୍ଭ ହେବ।
ମନ୍ତ୍ରାଳୟର ଅଧିକାରୀମାନେ ଆଶା କରିଛନ୍ତି ଯେ, ଅଧିକାଂଶ ଛାତ୍ର କକ୍ଷତ୍ୟାଗ କରିବା ବଦଳରେ ଶ୍ରେଣୀରେ ଆସିବାକୁ ଚାହିଁବେ । ଜେଏନୟୁର ପାଖାପାଖି ୫୦ ପ୍ରତିଶତ ଛାତ୍ର ପୂର୍ବରୁ ଶୀତକାଳୀନ ସେମିଷ୍ଟାର ପାଇଁ ନାମ ପଞ୍ଜିକରଣ କରିଛନ୍ତି । ମନ୍ତ୍ରାଳୟର ଆଶା ଯେ, ଆଗାମୀ ୨-୩ ଦିନରେ ଏହି ସଂଖ୍ୟା ବଢ଼ିବ ଏବଂ ଅଧିକାଂଶ ଛାତ୍ର କ୍ଲାସକୁ ଫେରିବେ ।

ହଷ୍ଟେଲ ଫି ବୃଦ୍ଧି ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ  ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି । ଏଣୁ ଜେଏନୟୁ ପରିସରରେ ବିରୋଧ ପ୍ରଦର୍ଶନ ସାମାନ୍ୟ ହେବ ବୋଲି କୁହାଯାଉଛି । ବିଶ୍ୱବିଦ୍ୟାଳୟରେ ସୋମବାରଠାରୁ ପୁଣି ଥରେ କ୍ଲାସ ଆରମ୍ଭ ହେଉଥିବା ଜଣାଯାଇଛି ।

image source–navbharattimes

ଜେଏନୟୁ ଛାତ୍ରସଂଘ ଏଯାଏଁ ବିରୋଧ ପ୍ରଦର୍ଶନକୁ ଫେରାଇ ନେବା ଘୋଷଣା କରି ନାହିଁ । ଛାତ୍ରସଂଘ ପକ୍ଷରୁ କୁହାଯାଇଛି ଯେ, ଯଦି ହଷ୍ଟେଲ ଫି ବୃଦ୍ଧି ପ୍ରତ୍ୟାହାର କରାଯିବ, ତା’ହେଲେ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣ ପାଇଁ ଅଟକାଯିବ ନାହିଁ । ତେବେ ଛାତ୍ରସଂଘ ପକ୍ଷରୁ କୁଳପତିଙ୍କୁ ବହିଷ୍କାର କରାଯିବା ଦାବିକୁ କିନ୍ତୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଗ୍ରାହ୍ୟ କରି ଦେଇଛି ।

ସୂଚନାଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ  ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ତୀବ୍ର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା| ଦୁଇ ପକ୍ଷଙ୍କ ମଧ୍ୟରେ ମାଡ଼ଗୋଳ ଯୋଗୁଁ ଛାତ୍ର ସଂଘ ଅଧ୍ୟକ୍ଷ ଆଇସ ଘୋଷଙ୍କ ମୁଣ୍ଡ ଫାଟିଥିବାବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ |

ସମ୍ବନ୍ଧିତ ଖବର