ଜେଏନୟୁ ଫି ବିବାଦର ସମାଧାନ ହୋଇସାରିଛି; ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନାବଶ୍ୟକ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଫି ବୃଦ୍ଧି ମାମଲାର ସମାଧାନ ହୋଇସାରିଛି । ଛାତ୍ର ପ୍ରତିନିଧି ଓ ଶିକ୍ଷକ ସଂଘର ପ୍ରତିନିଧି ସହିତ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ପରେ ସମସ୍ୟାର ସମାଧାନ କରାଯାଇ ସାରିଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ମାମଲାର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।

ଏହାପରେ ଏକ ଉଚ୍ଚସ୍ତରୀୟ କମିଟି ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଛି । ସମିତିର ସଦସ୍ୟଭାବେ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗର ପୂର୍ବତନ ଅଧ୍ୟକ୍ଷ ବି.ଏସ.ଚୌହାନ, ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ସହଶ୍ରବୁଦ୍ଧେ ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗର ସଚିବ ରଜନୀଶ ଜୈନ ସାମିଲ ଥିଲେ ।

ଏହି ସମିତିର ସୁପାରିସ କ୍ରମେ ଛାତ୍ରଛାତ୍ରୀ ଏବଂ ଜେଏନୟୁ ପ୍ରଶାସନ ପ୍ରତିନିଧିଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଆଲୋଚନା କରିଥିଲେ । ଏହାପରେ ନିଷ୍ପତ୍ତି ହୋଇଥିଲା ଯେ, ଛାତ୍ରଛାତ୍ରୀଙ୍କଠାରୁ ଶୀତ ଋତୁରେ ପଞ୍ଜିକରଣ ଲାଗି କୌଣସି ସେବା କିମ୍ବା ଉପଯୋଗିତା ଫି ନିଆଯିବ ନାହିଁ । କିନ୍ତୁ ସଂଶୋଧିତ ଛାତ୍ରାବାସ ଫି ଲାଗୁ ହେବ ଏବଂ ଏଥିରେ ବିପିଏଲ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ।
ତେଣୁ ଜେଏନୟୁ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ପୂରଣ ହୋଇସାରିଛି । ବର୍ତମାନ ସୁଦ୍ଧା ଶୀତ ଋତୁ ପାଇଁ ୫୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପଞ୍ଜିକରଣ କରିସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର ଲାଗି ମନ୍ତ୍ରଣାଳୟ ଏବଂ ମନ୍ତ୍ରୀ ଶ୍ରୀ ନିଶଙ୍କ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି, ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ସେବା ଓ ଉପଯୋଗିତା ଫି ଛାଡ ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ ହୋଇସାରିଛି । ତେଣୁ ଆନ୍ଦୋଳନ ଜାରି ରଖିବାର କୌଣସି ଆବଶ୍ୟକତା ନାହିଁ । ଉଚ୍ଚଶିକ୍ଷା ସଂସ୍ଥାନଗୁଡିକୁ ରାଜନୈତିକ ଆଖଡାରେ ପରିଣତ କରାଯିବା ଉଚିତ ନୁହେଁ ବୋଲି ସେ ଆହ୍ୱାନ କରିଛନ୍ତି ।

ସମ୍ବନ୍ଧିତ ଖବର