ଜେଏନ୍‌ୟୁ ତାତି: ଐଶୀଙ୍କ ସମେତ ୨୬ ଜଣଙ୍କ ବିରୋଧରେ ମାମଲା

ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ‘ହିନ୍ଦୁ ରକ୍ଷା ଦଳ’

ପ୍ରମାଣ ନାହିଁ ମନଗଢ଼ା କାହାଣୀ: ଐଶୀ
ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ହିଂସା ଘଟଣାରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦୁଇଟି ଭିନ୍ନ ମାମଲା ରୁଜୁ କରିଛି। ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଏବଂ ଜେଏନ୍‌ୟୁ କ୍ୟାମ୍ପସ ସର୍ଭର ରୁମ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଐଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଶ୍ବବିଦ୍ୟାଳୟ ପ୍ରଶାସନ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଐଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ବିଶ୍ବବିଦ୍ୟାଳୟ ପରିସରରେ ସେ କୌଣସି ହିଂସା ସୃଷ୍ଟି କରିନାହାନ୍ତି। ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ। ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମନଗଢ଼ା କାହାଣୀ ସୃଷ୍ଟି କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଐଶୀ କହିଛନ୍ତି। ପୁଲିସ ପ୍ରଥମେ ପ୍ରମାଣ ସଂଗ୍ରହ କରୁ ଏବଂ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଐଶୀ କହିଛନ୍ତି। ସେହିଭଳି ଐଶୀଙ୍କ ସମେତ ଅନ୍ୟ ୨୬ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ବିରୋଧୀ ଗୋଷ୍ଠୀଙ୍କ ଆକ୍ରମଣରେ ଗୁରୁତର ହୋଇ ଏମ୍‌ସରୁ ଚିକିତ୍ସିତ ହୋଇ ଫେରିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ‌ଅସାଧୁ ମେଣ୍ଟ ଅଛି ବୋଲି ଐଶୀ ଅଭିଯୋଗ କରିଥିଲେ। ଏବିଭିପି କର୍ମୀଙ୍କ ଇଙ୍ଗିତରେ ଜେଏନ୍‌ୟୁରେ ଏଭଳି ହିଂସା ଘଟିଛି ବୋଲି ଐଶୀ କହିଥିଲେ। ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ହିଂସା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ଏବଂ ଦୋଷୀମାନେ ଛାଡ଼ ପାଇବେ ନାହିଁ ବୋଲି କୁହାଯାଇଛି।

ନୂଆଦିଲ୍ଲୀ: ଗତ ରବିବାର ସନ୍ଧ୍ୟାରେ ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ) ପରିସରରେ ଯେଉଁ ଅମାନୁଷିକ ଆକ୍ରମଣ ହୋଇଥିଲା ସେଥିପାଇଁ ନିଜକୁ ଦାୟୀ କରିଛି ଦକ୍ଷିଣ ପନ୍ଥୀ ସଂଗଠନ ‘ହିନ୍ଦୁ ରକ୍ଷା ଦଳ’। ହିନ୍ଦୁ ରକ୍ଷା ଦଳ ମୁଖ୍ୟ ପିଙ୍କି ଚୌଧୁରୀ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ , ବିଶ୍ବବିଦ୍ୟାଳୟରେ ଦେଶ ବିରୋଧୀ ଏବଂ ହିନ୍ଦୁ ବିରୋଧୀ କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ବିରୋଧ କରି ‌ସେମାନେ ଏଭଳି ଆକ୍ରମଣ କରିଛନ୍ତି। ଦେଶବିରୋଧୀ କାର୍ଯ୍ୟ ପାଇଁ ଜେଏନ୍‌ୟୁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହାକୁ ଆମେ ଆଉ ସହ୍ୟ କରିପାରିବୁ ନାହିଁ। ତେଣୁ ଗତ ରବିବାରର ଆକ୍ରମଣ ପାଇଁ ଆମେ ସମ୍ପୂର୍ଣ୍ଣ ଦାୟୀ ବୋଲି ପିଙ୍କି ଚୌଧୁରୀ କହିଛନ୍ତି। ଭବିଷ୍ୟତରେ ମଧ୍ୟ ଏଭଳି ଆକ୍ରମଣ ଜାରି ରହିବ ବୋଲି ଚୌଧୁରୀ ଚେତାବନୀ ଦେଇଛନ୍ତି। ଚୌଧୁରୀ କହିଛନ୍ତି, ଯେଉଁଠି ଆମ ଦେଶ ଏବଂ ଧର୍ମକୁ ଅସମ୍ମାନ କରାଯାଉଛି ସେଠି ଆଉ ଚୁପ୍‌ ବସି ହେବନାହିଁ। ଅନ୍ୟପକ୍ଷେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ପିଙ୍କି ଚୌଧୁରୀଙ୍କ ଦ୍ବାରା ଜାରି ହୋଇଥିବା ବିବୃତିକୁ ତଦନ୍ତ କରାଯାଉଛି। ତେବେ ଜେଏନ୍‌ୟୁ ଛାତ୍ର ସଂଗଠନ ଦ୍ବାରା ଉକ୍ତ ଆକ୍ରମଣ ପାଇଁ ଏବିଭିପିକୁ ଦାୟୀ କରାଯାଇଛି। ଏବିଭିପିର ମୁଖା ପିନ୍ଧା ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଏବିଭିପି ଏହାକୁ ଖଣ୍ଡନ କରିଛି ଏବଂ ଏବିଭିପିର ସଦସ୍ୟମାନଙ୍କୁ ବାମପନ୍ଥୀ ସଂଗଠନର ସଦସ୍ୟମାନେ ଘାତକ ଆକ୍ରମଣ କରିଥିବା କହିଛି।

ଜେଏନ୍‌ୟୁରେ ପହଞ୍ଚିଲେ ଦୀପିକା ପାଦୁକୋନ୍‌
ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜି ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ‌ଜେଏନ୍‌ୟୁରେ ପହଞ୍ଚିଥିଲେ। ଦୀପିକା ବିଶ୍ବବିଦ୍ୟାଳୟରେ କିଛି କହିନଥିଲେ ମଧ୍ୟ ତାଙ୍କୁ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କ ସମେତ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଛାତ୍ରଙ୍କ ସହ ଦେଖିବାକୁ ମିଳିଥିଲା। ଦୀପିକାଙ୍କ ସହ ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ମଧ୍ୟ ଉପସ୍ଥିତ ଥିଲେ। ଦୀପିକା ଆଜି ସନ୍ଧ୍ୟା ୭.୩୦ରେ ଜେଏନ୍‌ୟୁ ପରିସରରେ ପହଞ୍ଚିଥିଲେ। ସେ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏକ ବୈଠକରେ ଯୋଗ ‌ଦେଇଥିଲେ।

ସମ୍ବନ୍ଧିତ ଖବର