ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ର ସଂସଦ ନିର୍ବାଚନର ଫଳ ଆଜି ପ୍ରକାଶ ପାଇଛି। ନିର୍ବାଚନରେ ବାମଦଳର ପ୍ରାର୍ଥୀମାନେ ବାଜିମାତ୍‌ ମାରିଛନ୍ତି। ସମସ୍ତ ଆସନରେ ଏହାର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ଗତ ଶୁକ୍ରବାର ଜେଏନ୍‌ୟୁ ଛାତ୍ର ସଂସଦର ସଭାପତି, ଉପସଭାପତି, ସାଧାରଣ ସଂପାଦକ ଓ ଯୁଗ୍ମ ସଂପାଦକ ପଦରେ ନିର୍ବାଚନ ହୋଇଥିଲା। କିନ୍ତୁ ଭୋଟ୍‌ ବାକ୍ସକୁ ନେଇ ଗଣ୍ଡଗୋଳ ହେବାରୁ ଗଣତି ବନ୍ଦ ରହିଥିଲା। ପୁଣି ବିଳମ୍ବିତ ରାତିରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ବାମ ମେଣ୍ଟ ପ୍ରାର୍ଥୀ ଏନ୍‌ ସାଇ ବାଲାଜୀ ସଭାପତି ପଦରେ ନିର୍ବାଚିତ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦରେ ଦଳର ସାରିକା ଚୌଧରୀ, ସାଧାରଣ ସଂପାଦକ ଭାବେ ଏଜାଜ୍‌ ଅହମ୍ମଦ ଏବଂ ଯୁଗ୍ମ ସଂପାଦକ ଭାବେ ଅମୁଥା ଜୟଦୀପ ବିଜୟୀ ହୋଇଛନ୍ତି। ଚଳିତବର୍ଷ ବାମ ଦଳ ସମର୍ଥିତ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଆସୋସିଏସନ୍‌, ଷ୍ଟୁଡେଣ୍ଟ୍‌ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ, ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ସ ଫେଡେରେସନ୍‌ ଏବଂ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଫେଡେରେସନ୍‌ ‘ବାମମେଣ୍ଟ’ ସ୍ଥାପନ କରି ଏକସଂଗେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ଏବିଭିପି ପ୍ରାର୍ଥୀମାନେ ଦ୍ୱିତୀୟ ସ୍ଥାନରେ ରହିଥିଲେ।