ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ‘ସ୍କୁଲ ଅଫ୍ ଲାଇଫ୍ ସାଇନ୍ସ’ (ଏସ୍ଏଲ୍ଏସ୍)ର ପ୍ରଫେସର ଅତୁଲ ଜୋହରୀଙ୍କୁ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି। ଗିରଫ ପ୍ରଫେସର ଜୋହରୀଙ୍କୁ ପୋଲିସ୍ ଆଜି ସନ୍ଧ୍ୟାରେ ଦିଲ୍ଲୀର ପାତିଆଲା ହାଉସ କୋର୍ଟରେ ହାଜର କରାଇଛି। ଦିଲ୍ଲୀ ପୋଲିସ୍ ଅଭିଯୁକ୍ତ ଜୋହରୀଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାପାଇଁ ଆବେଦନ କରିଥିବା ବେଳେ ଜେଲଗଲେ ତାଙ୍କ ବୃତ୍ତିଗତ ଜୀବନ ନଷ୍ଟ ହୋଇଯିବ ବୋଲି କହି ଜାମିନ୍ ପାଇଁ ଆବେଦନ କରିଛନ୍ତି।
JNU Professor Atul Johri moves bail plea in Delhi’s Patiala House Court, says ‘sending me to the jail will spoil my career’.
— ANI (@ANI) March 20, 2018
ଜେଏନ୍ୟୁର ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଛାତ୍ରୀମାନେ ପ୍ରଫେସର ଜୋହରୀଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଯୌନ ଶୋଷଣର ଅଭିଯୋଗ ଆଣି ନୂଆଦିଲ୍ଲୀର ଉତ୍ତର ବସନ୍ତକୁଞ୍ଜ ପୋଲିସ୍ ଥାନାରେ ଏକ ଏଫ୍ଆଇଆର୍ ଆଗତ କରିଥିଲେ। ଛାତ୍ରୀମାନଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ୍ ପ୍ରଫେସର ଜୋହରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୫୪ ଧାରା ୫୦୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା। ହେଲେ, ପୋଲିସ୍ ଅଭିଯୁକ୍ତ ପ୍ରଫେସର ଜୋହରୀଙ୍କୁ ଗିରଫ ନକରି ସୁରକ୍ଷା ପ୍ରଦାନ କରୁଥିଲା।
ଅନ୍ୟପକ୍ଷରେ ପ୍ରଫେସର ଜୋହରୀଙ୍କୁ ଗିରଫ କରିବା ସହ ତାଙ୍କୁ ଜେଏନ୍ୟୁରୁ ବିତାଡ଼ିତ କରିବା ଦାବି ନେଇ ଜେଏନ୍ୟୁର ଛାତ୍ରଛାତ୍ରୀମାନେ ଗତ ତିନିିଦିନ ଧରି ଜେଏନ୍ୟୁ କ୍ୟାମ୍ପସ୍ ମଧ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ପ୍ରଦର୍ଶନ କରୁଥିଲେ। ସୋମବାର ସନ୍ଧ୍ୟାରେ ଜେଏନ୍ୟୁର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବସନ୍ତକୁଞ୍ଜ ପୋଲିସ୍ ଥାନାକୁ ଯାଇ ପ୍ରଫେସର ଜୋହରୀଙ୍କ ଗିରଫ ଦାବି କରି ଥାନା ଘେରାଉ କରିଥିଲେ। ଫଳରେ ବସନ୍ତକୁଞ୍ଜ ଥାନା ସମ୍ମୁଖରେ ଉତ୍ୟକ୍ତ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ଦିଲ୍ଲୀ ପୋଲିସର କଟୁ ସମାଲୋଚନା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତି କ୍ରମେ ଉଗ୍ର ରୂପ ନେଉଥିବା ଦେଖିବା ପରେ ପୋଲିସ ଆଜି ପ୍ରଫେସର ଜୋହରୀଙ୍କୁ ଅବଶେଷରେ ଗିରଫ କରିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଜେଏନ୍ୟୁ ସ୍କୁଲ ଅଫ୍ ଲାଇଫ୍ ସାଇନ୍ସ (ଏସ୍ଏଲ୍ଏସ୍)ର ଛାତ୍ରୀମାନେ ପ୍ରଫେସର ଅତୁଲ ଜୋହରୀଙ୍କ ବିରୋଧରେ ଯୌନ ଶୋଷଣ ଓ ଯୌନ ନିର୍ଯାତନାର ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ୯ ଜଣ ଛାତ୍ରୀ ଅଭିଯୋଗ କରି କହିଥିଲେ ଯେ ପ୍ରଫେସର ଜୋହରୀ ପ୍ରତ୍ୟେକ ଛାତ୍ରୀଙ୍କ ପ୍ରତି ଅଶ୍ଲୀଳ ମନ୍ତବ୍ୟ ଦେବା ସହ ଛାତ୍ରୀମାନଙ୍କ ଶରୀର ଗଠନକୁ ନେଇ ଟିପ୍ପଣି ଦିଅନ୍ତି ଓ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ସିଧାସଳଖ ଛାତ୍ରୀମାନଙ୍କୁ ବାଧ୍ୟ କରନ୍ତି। ଯେଉଁ ଛାତ୍ରୀ ଏହାର ପ୍ରତିିବାଦ କରେ, ସେ ତା’ ଉପରେ ଆକ୍ରୋଶ ରଖିବା ସହ ତା’କୁ ନାନା ବାଗରେ ହଇରାଣ ହରକତ କରନ୍ତି ବୋଲି ଅଭିଯୋଗ କରଥିଲେ। ଏଥିସହ କିଛିଦିନ ତଳେ ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଜନୈକା ୨୬ ବର୍ଷ ବୟସ୍କା ମହିଳା ଛାତ୍ରୀ ପ୍ରଫେସର ଜୋହରୀଙ୍କ ଏପ୍ରକାର ଯୌନ ନିର୍ଯାନତା ସହି ନପାରି ଜେଏନ୍ୟୁ ଛାଡ଼ି ପଳାଇ ଯାଇଥିଲେ। ପରେ ସଂପୃକ୍ତା ଛାତ୍ରୀ ଜଣଙ୍କ ପ୍ରଫେସର ଜୋହରୀଙ୍କ ନିକଟକୁ ପଠାଇଥିବା ଏକ ଇ-ମେଲରେ ଲେଖିଥିଲେ ଯେ ଆପଣଙ୍କ ପରି ଜଣେ ଚରିତ୍ରହୀନ ବ୍ୟକ୍ତଠାରୁ ଶିକ୍ଷା ଗ୍ରହଣ କରିବାକୁ ମୁଁ ଚାହୁଁନାହିଁ। ସେଥିପାଇଁ ମୁଁ ଅନୁଷ୍ଠାନ ଛାଡ଼ିବାକୁ ବାଧ୍ୟ ହେଉଛି।