ଆଡମିନ୍ ବ୍ଲକ୍‌ ବାହାରେ ବିରିୟାନୀ ରୋଷେଇ ଜେଏନ୍‌ୟୁ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା, ଦେଲେ ୬୦୦୦ଟଙ୍କାର ଜୋରିମାନା

ନୂଆଦିଲ୍ଲୀ:ଜବାହାର୍‌ଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ୧୦ ଜଣ ଛାତ୍ରଙ୍କୁ ଦେବାକୁ ପଡ଼ିଛି ୬୦୦୦ଟଙ୍କା ଜରିମାନା । ବିଶ୍ୱବିଦ୍ୟାଳୟର ଆଡ଼୍‍ମିନିଷ୍ଟ୍ରଟିଭ୍‌ ବିଲ୍‌ଡ଼ିଙ୍ଗ୍‌ ସମ୍ନାରେ ବିରିୟାନୀ ରୋଷେଇ କରି ଖାଇବା ସେମାନଙ୍କୁ ପଡ଼ିଛି ମହଙ୍ଗା । ଏହି ଘଟଣାଟି ଜୁନ୍‌ ୨୭ରେ ଘଟିଥିବା ବେଳେ ଘଟଣା ଘଟାଇଥିବା ଛାତ୍ର ଜଣକ ହେଉଛନ୍ତି ଅମିର୍‌ ମଲ୍ଲିକ୍‌ । ସୂଚନା ଅନୁଯାୟୀ ଜେଏନ୍‌ୟୁର ଭିସିଙ୍କ ସହ ସାକ୍ଷାତ କରିବାକୁ ଆସିଥିବା କିଛି ପିଲା ଭିତରେ ଥିବା ବେଳେ ଅମିର୍‌ ମଲ୍ଲିକ୍‌ ବାହାରେ ବିରିୟାନୀ ରୋଷେଇ କରିଥିଲେ । ପରେ ଏହାର ଅନୁସନ୍ଧାନ ପରେ ଅମିର୍‌ ମଲ୍ଲିକ୍‌ଙ୍କ ପାଖକୁ ବିଶ୍ୱବିଦ୍ୟାଳୟ ତରଫରୁ ନୋଟିସ ଜାରି କରାଯାଇଥିଲା । ଏଥିରେ ଉଲ୍ଲେଖଥିଲା କି ଅନୁସନ୍ଧାନରୁ ଜଣା ଯାଇଛି କି ତୁମେ ହିଁ ଆଡ଼୍‍ମିନିଷ୍ଟ୍ରଟିଭ୍‌ ବିଲ୍‌ଡ଼ିଙ୍ଗ୍‌ ସମ୍ନାରେ ବିରିୟାନୀ ରୋଷେଇ କରି ଖାଇବା ସହ ନିଜ ସାଙ୍ଗ ମାନଙ୍କୁ ଖାଇବାକୁ ଦେଇଥିଲ । ଏହା ଜେଏନ୍‌ୟୁ ଛାତ୍ର ହିସାବରେ ବହୁତ ବଡ଼ ଭୁଲ ଏବଂ ଏହା ବିଶ୍ୱବିଦ୍ୟାଳୟର ଶୃଙ୍ଖଳାକୁ ଭଙ୍ଗ କରୁଛି ବୋଲି ଚିଫ୍‌ ପ୍ରୋକ୍ଟର କୌଶଲ କୁମାର ନୋଟିସ୍‌ ଜାରି କରିଛନ୍ତି । ଏଥିରେ ଅମିର୍‌ ମଲ୍ଲିକ୍‌ଙ୍କୁ ୬୦୦୦ ଟଙ୍କା ଜୋରିମାନା ୧୦ ଦିନ ଭିତରେ ଦେବା ପାଇଁ କହାଯାଇଥିବା ବେଳେ ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥିପାଇଁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ଅମିର୍‌ ମଲ୍ଲିକ୍‌ ନିଜର ମତ ରଖି କହିଛନ୍ତି “ସେ ଦିନ ରାତି ୧୧ ହୋଇଯାଇଥିବାରୁ ସବୁ ଢ଼ାବା ବନ୍ଦ ହୋଇ ଯାଇଥିଲା । ସେଥିପାଇଁ ମୁଁ ଭିସିଙ୍କ ସାକ୍ଷାତ ପାଇଁ ଅପେକ୍ଷା କରିଥିବା ମୋ ସାଙ୍ଗମାନଙ୍କ ପାଇଁ ବିରିୟାନୀ ରୋଷେଇ କରିଥିଲି । ଭିସି କେବଳ ପିଲାମାନଙ୍କୁ ବିରୋଧ କରି ଏଭଳି ପଦକ୍ଷପ ନେଇଛନ୍ତି । ନଚେତ୍‌ ପିଲାମାନେ ସେମିତି କିଛି ଆଇନ୍‌ ଉଲ୍ଲଙ୍ଘନ କଲାଭଳି କାମ କରିନାହାନ୍ତି।’

ଜେଏନୟୁ ଛାତ୍ରସଂଘର ସଭାପତି ମୋହିତ୍‌ ପାଣ୍ଡେ କହିଛନ୍ତି, “ଯେତେବେଳେ ୟୁନିୟନ ରିପ୍ରେଜେଣ୍ଟଟେଟିଭ୍‌ ମାନେ ଭିସିଙ୍କ ଅଫିସ୍‌କୁ ଆପଏଣ୍ଟମେଣ୍ଟ୍‌ ପାଇଁ ଯାଇଥିଲେ ସେହି ସମୟରେ ଏହା ଘଟିଥିଲା । ଆମେ ମାନେ ଭିତରେ ଅପେକ୍ଷା କରୁଥିବା ବେଳେ ବାହାରେ ଅପେକ୍ଷା କରିଥିବା କିଛି ପିଲା ରୋଷେଇ କରିଥଲେ କାରଣ ଆପଏଣ୍ଟମେଣ୍ଟ୍‌ କେବେ ମିଳିବ ତାହା ଜଣା ନଥିଲା।” ବିରିୟାନୀ ଖାଇବା, ଭିସି ଅଫିସ ଭିତରେ ଆନ୍ଦୋଳନ କରିବା ଏବଂ ବିଶ୍ୱବିଦ୍ୟାଳୟର ଶାନ୍ତି ଶୃଙ୍ଖଳା ଭଙ୍ଗ କରିବା ପାଇଁ ଜେଏନ୍‌ୟୁର ପୂର୍ବତନ ଜେନେରାଲ ସେକ୍ରେଟାରି ଶତରୁପା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦେବାକୁ ପଡ଼ିଛି ୧୦୦୦୦ ଟଙ୍କା ଜୋରିମାନା ।

ଅଫିସ୍‌ ସମ୍ନାରେ ବିରିୟାନୀ ରୋଷେଇ କରିବା, ଖାଇବା ଏବଂ ଭିସିଙ୍କ ଆପଏଣ୍ଟମେଣ୍ଟ୍‌ ପାଇଁ ଅପେକ୍ଷା କରିବାକୁ ବିଶୃଙ୍ଖଳା କହି ଆଡ଼୍‍ମିନିଷ୍ଟ୍ରେସନ୍‌ କେବଳ ପିଲା ମାନଙ୍କୁ ବ୍ୟବହାର କରୁଛି ବୋଲି କହିଛନ୍ତି ଶତରୁପା ।

 

ସମ୍ବନ୍ଧିତ ଖବର