ତେଜିଲା ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ, ସଂସଦ ଭବନକୁ ଧସେଇ ପଶିବା ଉଦ୍ୟମ

୪ ମେଟ୍ରୋ ଷ୍ଟେସନର ପ୍ର‌ବେଶ, ପ୍ରସ୍ଥାନ ଦ୍ବାର ବନ୍ଦ, ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ

ନୂଆଦିଲ୍ଲୀ: ଦୀର୍ଘ ତିନି ସପ୍ତାହ ଧରି ଚାଲିଥିବା ଜବାହର୍‌ଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଭିନ୍ନ କାର୍ଯ୍ୟକୁ ବିରୋଧ କରି ସହସ୍ରାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦ ଭବନ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ରାସ୍ତାରେ ପୁଲିସ ସେମାନଙ୍କୁ ପ୍ରତିରୋଧ କରିବାବେଳେ ଉଭୟ ଛାତ୍ର ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ‌ କରିଥିଲା। ଏହା ଫଳରେ ଦିଲ୍ଲୀ ସଂସଦ ଭବନ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ବାବା ଗଙ୍ଗାନାଥ ମାର୍ଗ ନିକଟରେ ପୁଲିସ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲା। ଛାତ୍ର ଆନ୍ଦୋଳନ ଯୋଗୁ ଦୀର୍ଘ ସମୟ ଧରି ଦିଲ୍ଲୀରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଦେଖାଦେଇଥିଲା। ମୋତିବାଗ୍‌, ହାୟାତ୍‌ ହୋଟେଲ୍‌, ଏମ୍‌ସ-ସଫ୍‌ଦରଜଙ୍ଗ ରାସ୍ତା, ଅରବିନ୍ଦ ମାର୍ଗ, ବେର୍‌ ସରାଇ ରୋଡ୍‌, ସଫ୍‌ଦରଜଙ୍ଗ ଟମ୍ବ, କ୍ରିଷ୍ଣା‌ ମେନନ୍‌ ମାର୍ଗ ଆଦିରେ ଟ୍ରାଫିକ୍‌ ସମସ୍ୟା‌ ଉପୁଜିଥିଲା। ଛାତ୍ର ଆନ୍ଦୋଳନ ସମୟରେ ଆଜି ୪ଟି ମେଟ୍ରୋ ‌ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରକୁ ବନ୍ଦ କରିବାକୁ ପଡ଼ିଥିଲା। ଆଇନ୍‌ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ଜେଏନ୍‌ୟୁ ବାହାରେ ୧୦ କମ୍ପାନି ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅପରପକ୍ଷେ, ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଆଜି ଲୋକସଭାରେ ଉଠିଥିଲା। ଶୂନ୍ୟକାଳରେ ବିଏସ୍‌ପି ସାଂସଦ ଦାନିଶ୍‌ ଅଲ୍ଲୀ ଏହି ପ୍ରସଙ୍ଗ ଉଠାଇଥିଲେ। ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଦାବି ପ୍ରତି ସରକାର ଆଖି ବୁଜି ଦେଇଛନ୍ତି ବୋଲି ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ। ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କ ସମେତ ବହୁ ଛାତ୍ର ନେତାଙ୍କୁ ପୁଲିସ ଅଟକ ରଖିଛି। ‌ଅପରପକ୍ଷେ, ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଘଟଣାର ସମାଧାନ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ୩ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇଛି। ୟୁଜିସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଭି.ଏସ୍‌. ଚୌହାନ୍‌, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଏବଂ ୟୁଜିସି ଯୁଗ୍ମ ସଚିବ ପ୍ରଫେସର ରଜ୍‌ନୀଶଙ୍କୁ ନେଇ ଗଠିତ ଏହି କମିଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ନେଇ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଲ୍ଲୀ ସରକାର ଦେଇଛନ୍ତି।

ଆନ୍ଦୋଳନ କାହିଁକି
ହଷ୍ଟେଲ ଫେରିବା ସମୟ: ଜେଏନ୍‌ୟୁର ଛାତ୍ରଛାତ୍ରୀମାନେ ଇଣ୍ଟର-ହଲ୍ ଆଡମିନିଷ୍ଟ୍ରେସନ କମିଟି ପକ୍ଷରୁ ଗତ ମାସ ୨୮ ତାରିଖରେ ମଞ୍ଜୁରି ଦିଆଯାଇଥିବା ହଷ୍ଟେଲ ମାନୁଆଲ ଚିଠାକୁ ତୀବ୍ର ବିରୋଧ କରୁଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଛାତ୍ରଛାତ୍ରୀମାନେ ସେମାନଙ୍କ ହଷ୍ଟେଲକୁ ରାତି ୧୧ଟା ସୁଦ୍ଧା ଫେରିବେ। ରାତି ୧୧ଟା ପରେ ଅଧ ଘଣ୍ଟାର ସ୍ବାଧୀନତା ଦିଆଯାଇଛି। ତେଣୁ ସେମାନଙ୍କୁ ଅତିବେଶିରେ ରାତି ସାଢ଼େ ୧୧ଟା ସୁଦ୍ଧା ଫେରିବାକୁ ହେବ। ଛାତ୍ରଛାତ୍ରୀମାନେ ଉପରୋକ୍ତ ନିର୍ଦ୍ଧାରିତ ସମୟ ସୀମା ପରେ ସେମାନଙ୍କ ହଷ୍ଟେଲ ପରିସର ବାହାରେ କୌଣସି ହିଂସାତ୍ମକ କିମ୍ବା ବିଶୃଙ୍ଖଳିତ କାର୍ଯ୍ୟରେ ନିୟୋଜିତ ରହିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ହଷ୍ଟେଲରୁ ବାହାର କରି ଦିଆଯିବ।

ଡ୍ରେସ୍ କୋଡ୍‌: ନୂଆ ମାନୁଆଲରେ ଡାଇନିଂ ହଲ୍‌କୁ ଛାତ୍ର ଏବଂ ସେମାନଙ୍କ ଅତିଥିମାନେ ଉପଯୁକ୍ତ ପୋଷାକରେ ଖାଇବା ପାଇଁ ଆସିବାକୁ କୁହାଯାଇଛି।

ସର୍ଭିସ୍‌ ଚାର୍ଜ: ସର୍ଭିସ ଚାର୍ଜ ବାବଦରେ ୧୭୦୦ ଟଙ୍କା ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରାଯାଉଛି। ଏଥିସହିତ ମେସ୍ ସିକ୍ୟୁରିଟି ଫି’କୁ (ଯାହା ପରେ ଫେରସ୍ତଯୋଗ୍ୟ) ୫୫୦୦ ଟଙ୍କାରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ହଷ୍ଟେଲ ରୁମ୍ ‌ଭଡ଼ା: ଜଣେ ଛାତ୍ର ରହିବା ପାଇଁ ଉଦ୍ଦିଷ୍ଟ ହଷ୍ଟେଲ ରୁମ୍‌ର ଭଡ଼ା ୨୦ ଟଙ୍କାରୁ ୬୦୦ ଟଙ୍କାକୁ ଏବଂ ଦୁଇ ଜଣିଆ ଛାତ୍ର ରହୁଥିବା ରୁମ୍‌ର ଭଡ଼ା ୧୦ ଟଙ୍କାରୁ ୩୦୦ ଟଙ୍କାକୁ ବଢ଼ାଯାଇଛି।

ସମ୍ବନ୍ଧିତ ଖବର