ନୂଆଦିଲ୍ଲୀ : ଜେଏନ୍ୟୁ (ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ)ର ଛାତ୍ର ସଂଗଠନ ଦ୍ବାରା ଆଜି ବିଭିନ୍ନ ଦାବି ସମେତ ହଷ୍ଟେଲ୍ ଫି’ ବୃଦ୍ଧିକୁ ବିରୋଧ କରି ଜେଏନ୍ୟୁ ପରିସର ବାହାରେ ଜୋରଦାର ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ ସମୟରେ ପୁଲିସ ଏବଂ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅତି ଜଟିଳ ରୂପ ନେବାରୁ ପୁଲିସ ବିଶୃଙ୍ଖଳ ଛାତ୍ରଙ୍କୁ ଘଉଡ଼ାଇବାପାଇଁ ପାଣି ମାଡ଼ କରିଥିଲା। ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ ଆଜି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଆଇସିଟିଇ ଅଡିଟୋରିୟମ୍ରେ ଆୟୋଜିତ ଉତ୍ସବରେ ନାଇଡ଼ୁ ଉଦ୍ବୋଧନ ଦେଉଥିବାବେଳେ ଆନ୍ଦୋଳନରତ ଛାତ୍ରମାନେ ପଦଯାତ୍ରା କରି ଏଆଇସିଟିଇ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ପୁଲିସ ସେମାନଙ୍କ ବାଟ ଅବରୋଧ କରିଥିଲା। ଏହାପରେ ପୁଲିସ-ଛାତ୍ରଗୋଷ୍ଠୀ ଜୋରଦାର ସଂଘର୍ଷ ହୋଇଥିଲା। ନାଇଡ଼ୁ ଏହି କାର୍ଯ୍ୟକ୍ରମ ଶେଷ ପରେ ଫେରି ଆସିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପୋଖରିୟାଲ ୬ ଘଣ୍ଟାରୁ ଅଧିକ ସମୟ ଅଡିଟୋରିୟମ ପରିସରରେ ଫସି ରହିଥିଲେ। ତେବେ ପୋଖରିୟାଲ ଆନ୍ଦୋଳନରତ ଛାତ୍ର ଗୋଷ୍ଠୀଙ୍କ ସହ କଥା ହେବା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ବାସନା ଦେବାପରେ ଆନ୍ଦୋଳନ ଥମିଥିଲା।
ସୂଚନାନୁଯାୟୀ ଆଜି ସକାଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଅପରାହ୍ନରେ ଏହା ଅତି ଭୟଙ୍କର ରୂପ ନେଇଥିଲା। ଛାତ୍ରମାନେ ବିଶ୍ବବିଦ୍ୟାଳୟର ଦକ୍ଷିଣ ଦିଲ୍ଲୀ କ୍ୟାମ୍ପସ୍ରୁ ୩ କିମି ଚାଲି ଏଆଇସିଟିଇ ଅଡିଟୋରିୟମ ଆଡ଼କୁ ଯାଇଥିଲେ। କିନ୍ତୁ ଏଆଇସିଟିଇ ଅଡିଟୋରିୟମ୍ ନିକଟରୁ ଅଳ୍ପ ଦୂରରେ ସେମାନଙ୍କୁ ଅଟକା ଯାଇଥିଲା। ପୁଲିସ ବିଶୃଙ୍ଖଳ ଛାତ୍ରଙ୍କୁ ଘଉଡ଼ାଇବା ପାଇଁ ପାଣି ମାଡ଼ କରିଥିଲା ଏବଂ କିଛି ଛାତ୍ରଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି। ଆନ୍ଦୋଳନରତ ଛାତ୍ରମାନେ ବିଶ୍ବବିଦ୍ୟାଳୟ ଦିଲ୍ଲୀ ପୁଲିସ ଏବଂ ଭିସିଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଛାତ୍ରମାନେ ହଷ୍ଟେଲ୍ ପାଇଁ ଲାଗୁ ହୋଇଥିବା ଏକ ନୂଆ ନିୟମାବଳୀ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ନୂଆ ନିୟମାବଳୀ ଅନୁଯାୟୀ ହଷ୍ଟେଲ୍ ଫି ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ଛାତ୍ରମାନେ ଏହାର ବିରୋଧ କରିଛନ୍ତି।