ଏଏମୟୁରେ ଦେଶ ବିରୋଧୀ ଭାଷଣ : ଜେଏନ୍‌ୟୁ ଛାତ୍ର ସରଜିଲ୍‌ ଇମାମ୍‌ ଗିରଫ

କହ୍ନେୟାଙ୍କ ଅପେକ୍ଷା ସରଜିଲ୍‌ଙ୍କ ଭାଷଣ ଅଧିକ ବିପଜ୍ଜନକ: ଶାହ

ନୂଆଦିଲ୍ଲୀ: ସିଏଏ ବିରୋଧୀ  ଆନ୍ଦୋଳନରେ ଦେଶ ବିରୋଧୀ ଏବଂ ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଜେଏନ୍‌ୟୁ ଛାତ୍ର ସରଜିଲ୍‌ ଇମାମ୍‌ଙ୍କୁ ଆଜି ଦିଲ୍ଲୀ ପୁଲିସ ବିହାରର ଜେହାନାବାଦ୍‌ରୁ ଗିରଫ କରିଛି। ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟ ପରିସରରେ  ସିଏଏ ବିରୋଧୀ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିବା ଇମାମ୍‌ ଆନ୍ଦୋଳନ ସ୍ଥଳରେ ଭାଷଣ ଦେଇ କହିଥିଲେ ଯେ ମୁସ୍‌ଲିମ୍‌ମାନେ ଆସାମକୁ ଭାରତରୁ ଅଲଗା କରିଦେବା ଉଚିତ। ଏଥିପାଇଁ ବଡ଼ ଲଢ଼େଇ ଦରକାର ବୋଲି ସେ କହିଥିଲେ। ଦେଶବ୍ୟାପୀ ମୁସ୍‌ଲିମମାନେ ଏକଜୁଟ୍‌ ହୋଇ ପ୍ରତିଶୋଧ ନେବା ଉଚିତ ବୋଲି ସେ ଆହ୍ବାନ ଦେଇଥିଲେ। ଏ ନେଇ ଇମାମ୍‌ଙ୍କ ବିରୋଧରେ ୬ଟି ରାଜ୍ୟରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ମଣିପୁର ପୁଲିସ ସରଜିଲ୍‌ ଇମାମ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଇମାମ୍‌ଙ୍କ ବିହାର, ଜେହାନାବାଦ୍ ସ୍ଥିତ ବାସଭବନ‌ରେ ଚଢ଼ଉ କରିଥିଲେ। ସରଜିଲ୍‌ଙ୍କୁ ଗିରଫ କରିବା ପାଇଁ ପୁଲିସ ମୁମ୍ବାଇ, ପାଟନା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଜେଏନ୍‌ୟୁର ପିଏଚ୍‌ଡି ଛାତ୍ର ସରଜିଲ୍‌ଙ୍କ ସାନ ଭାଇକୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି।

ଉଲ୍ଲେଖଯୋଗ୍ୟ ବିଜେପି ଦ୍ବାରା ଗତ ୨୫ ତାରିଖରେ ଏକ ଭିଡିଓ ଜାରି ହୋଇଥିଲା। ସରଜିଲ୍‌ଙ୍କ ଦେଶ ବିରୋଧୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆଇପିସିର ଧାରା ୧୨୪ ଏ, ୧୫୩ଏ ଏବଂ ୫୦୫ ଅଧୀନରେ ୬ଟି ରାଜ୍ୟରେ ମାମଲା ରୁଜୁ ହୋଇଛି। ସରଜିଲ୍‌ ଦାବି କରିଛନ୍ତି ଯେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିନାହିଁ ବରଂ ସେ ନିଯେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ପୁଲିସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଗିରଫଦାରୀର ଭିଡିଓ ଜାରି କରିଛି।

କହ୍ନେୟାଙ୍କ ଅପେକ୍ଷା ସରଜିଲ୍‌ଙ୍କ ଭାଷଣ ଅଧିକ ବିପଜ୍ଜନକ: ଶାହ
ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ର ସରଜିଲ୍‌ ଇମାମ୍‌ଙ୍କ ଦେଶ ବିରୋଧୀ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ସରଜିଲ୍‌ ପୂର୍ବତନ ଜେଏନ୍‌ୟୁଏସ୍‌ୟୁ ସଭାପତି କହ୍ନେୟା କୁମାରଙ୍କଠାରୁ ଅଧିକ ବିପଜ୍ଜନକ ଶବ୍ଦ ବ୍ୟବହାର କରିଛନ୍ତି। ଶାହ କହିଛନ୍ତି, ସେ ସରଜିଲ୍‌ଙ୍କ ଭିଡିଓ ଦେଖିଛନ୍ତି ଏବଂ ତାଙ୍କ ଭାଷଣ କହ୍ନେୟାଙ୍କଠାରୁ ଅଧିକ ବିପଜ୍ଜନକ। ସରଜିଲ୍‌ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏଭଳି ବ୍ୟକ୍ତି ଜେଲ୍‌ରେ ରହିବା ଉଚିତ ବୋଲି ଶାହ ଆଜି ରାୟପୁରରେ କହିଛନ୍ତି।

ସମ୍ବନ୍ଧିତ ଖବର