ଜେଏନ୍‌ୟୁରେ ଛାତ୍ର ଅଶାନ୍ତି: କୁଳପତିଙ୍କ ଇସ୍ତଫା ଦାବି କଲା ଛାତ୍ର ସଂଘ

ନୂଆଦିଲ୍ଲୀ: ଦିଲ୍ଲୀ ଜବାହାର ଲାଲ୍‌ ନେହରୁ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ରରୂପ ଧାରଣ କରିଛି। ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହାକୁ ନେଇ ବିରୋଧର ସ୍ୱର ଉଠିଛି। ଉତ୍ୟକ୍ତ ଛାତ୍ରମାନେ କୁଳପତି ଜଗଦେଶ କୁମାରଙ୍କ ଇସ୍ତଫା ଦାବି କରିଥିବା ବେଳେ ପ୍ରଶାସନିକ ବ୍ଲକ୍‌ରେ ୨ଜଣ କର୍ମଚାରୀଙ୍କୁ ବନ୍ଦୀ କରିଦେଇଥିବା ବିଶ୍ୱବିଦ୍ୟାୟଳୟ କର୍ତ୍ତୁପକ୍ଷ କହିଛନ୍ତି। ସେପଟେ ଜେଏନ୍‌ୟୁ ଛାତ୍ର ସଂଘ ଓ ସର୍ବ ଭାରତୀୟ ଛାତ୍ର ସଂଘ କର୍ତ୍ତୁପକ୍ଷଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ କହିଛନ୍ତି ଯେ, ଆଲୋଚନା ପାଇଁ କୂଳପତି ସେମାନଙ୍କୁ ପ୍ରଶାସନିକ ବ୍ଲକ୍‌କୁ ଡକାଇ ନିଜେ ସେଠାରୁ ପଳାଇଥିଲେ। ଏହାସହିିତ ଛାତ୍ର ସଂଘ କୌଣସି କର୍ମଚାରୀଙ୍କୁ ବନ୍ଦୀ କରି ରଖିନାହାନ୍ତି। ମିଳିଥିବା ଖବର ମୁତାବକ, ଗତ ୯ ତାରିଖରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଏକ ନିର୍ଦ୍ଦେଶନାମା ଜାରି କରି କହିଥିଲେ ଯେ, ଆବଶ୍ୟକୀୟ ଉପସ୍ଥାନ ନରହିଲେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ କୋଟା,ଫେଲୋସିପ୍‌ ଅର୍ଥ ଓ ପରୀକ୍ଷା ଦେବାର ଅଧିକାର କଟିଯିବ। ଯାହାକୁ ନେଇ ଛାତ୍ରସଂଘ ପକ୍ଷରୁ ବିରୋଧ କରାଯାଇଛି। ମାମଲା ତୀବ୍ର ହେବାରୁ ଛାତ୍ରସଂଘ ସହ ଆଲୋଚନା କରି ମାମଲାର ସମାଧାନ କରିବାକୁ ଦିଲ୍ଲୀ ହାଇକୋର୍ଟ ବିଶ୍ୱବିଦ୍ୟାଳୟକୁ କହିଥିଲେ। ମାତ୍ର ଛାତ୍ରସଂଘର କହିବା ମୁତାବକ, କୂଳପତି ସେମାନଙ୍କ ସହ ଆଲୋଚନା କରିବାକୁ ଚାହୁଁନାହାନ୍ତି ଓ ନିଜ ଜିଦ୍‌ରେ ଅଟଳ ରହୁଛନ୍ତି।

ସମ୍ବନ୍ଧିତ ଖବର