ନୂଆଦିଲ୍ଲୀ: ଗତ ୫ ତାରିଖରେ ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ଭୟଙ୍କର ହିଂସା ଉପୁଜିଥିଲା। ହିଂସା ଘଟଣାରେ ତଦନ୍ତ ଜାରି ରହିଛି। ତେବେ ଜେଏନ୍ୟୁ ହିଂସା ଦିନର ବିଭିନ୍ନ ତଥ୍ୟ ସୁରକ୍ଷିତ ରଖିବା ପାଇଁ ତଥା ସିସିଟିଭି ଫୁଟେଜ୍, ହ୍ବାଟ୍ସଆପ୍ ମେସେଜ୍ ଏବଂ ଅନ୍ୟ ବଳିଷ୍ଠ ପ୍ରମାଣ ଗୁଡ଼ିକୁ ସୁରକ୍ଷିତ ରଖିବାନେଇ ଆଜି ଦିଲ୍ଲୀ ହାଇକୋର୍ଟ ହ୍ବାଟ୍ସଆପ୍, ଗୁଗ୍ଲ, ଫେସବୁକ୍ ଏବଂ ଆପଲ୍କୁ ନୋଟିସ୍ କରିଛନ୍ତି। ଦକ୍ଷିଣ ଦିଲ୍ଲୀ ପୁଲିସ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ କୋର୍ଟ ଏହି ପ୍ରସଙ୍ଗରେ ନୋଟିସ୍ କରିଛନ୍ତି। ଜେଏନ୍ୟୁ ପ୍ରଫେସରଙ୍କ ଦ୍ବାରା ହୋଇଥିବା ଆବେଦନ ଆଧାରରେ କୋର୍ଟ ହ୍ବାଟ୍ସଆପ୍, ଗୁଗ୍ଲ, ଫେସବୁକ୍ ଏବଂ ଆପଲ୍କୁ ନୋଟିସ୍ କରି ଏବାବଦରେ ଉତ୍ତର ମାଗିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।
ଜେଏନ୍ୟୁ ହିଂସା ଘଟଣାର ତଦନ୍ତ କରୁଥିବା ଦିଳ୍ଲୀ ପୁଲିସ ହାଇକୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସିସିଟିଭି ଫୁଟେଜ୍ ସୁରକ୍ଷିତ ରଖିବାପାଇଁ ବିଶ୍ବବିଦ୍ୟାଳୟକୁ କୁହାଯାଇଥିଲା। କିନ୍ତୁ ଏନେଇ କିଛି ସୂଚନା ମିଳିନି। ୨ଟି ଗ୍ରୁପ୍ ସଂକ୍ରାନ୍ତରେ ହ୍ବାଟ୍ସଆପ୍ଠାରୁ ବିବରଣୀ ମଗାଯାଇଥିବା ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଜେଏନୟୁର ୩ ଜଣ ପ୍ରଫେସର ଅମିତ ପରମେସ୍ବରନ୍, ଅତୁଲ ସୁଦ ଏବଂ ଶୁକ୍ଳା ବିନାୟକ ସାୱନ୍ତ ହିଂସା ଦିନର ତଥ୍ୟ ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ କୋର୍ଟ ହ୍ବାଟ୍ସଆପ୍, ଫେସବୁକ୍ ଏବଂ ଗୁଗ୍ଲକୁ ନୋଟିସ୍ କରି ଜବାବ ମାଗିଛନ୍ତି। ଅନ୍ୟପକ୍ଷରେ ଜେଏନୟୁରେ ପାଠପଢ଼ା ଆରମ୍ଭ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟର ଦୁଇଟି ଶିକ୍ଷକ ସଂଘ ଅସହଯୋଗ କରିବା ନେଇ ଘୋଷଣା କରିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଭଳି ପରାମର୍ଶ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/whatsapp.jpg)