ୱାସିଂଟନ୍‌: ବିଶ୍ବର ଅନ୍ୟାନ୍ୟ ଅନେକ ପ୍ରତିଷ୍ଠାନ ପରି ବିଭିନ୍ନ ସମସ୍ୟାରେ ପଡ଼ି ପ୍ରସିଦ୍ଧ ପତ୍ରିକା ‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌’ ମଧ୍ୟ କର୍ମଚାରୀ ଛଟେଇ କରିଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ଦୀର୍ଘ ୧୩୫ ବର୍ଷ ହେବ ବିଜ୍ଞାନ ଓ ପ୍ରାକୃତି ଜଗତ୍‌ର ସର୍ବେକ୍ଷଣ କରିଆସୁଥିବା ଏହି ପତ୍ରିକା ବୁଧବାର ଦିନ ତା’ର ସମସ୍ତ ‘ଷ୍ଟାଫ୍‌ ରାଇଟର୍‌’ ବା ‘ଏଡିଟରିୟାଲ୍‌ ଷ୍ଟାଫ୍‌’ଙ୍କୁ ଚାକିରିରୁ ଛଟେଇ କରିଛି। ଏଥିପାଇଁ ସେମାନଙ୍କୁ ଗତ ଏପ୍ରିଲ୍‌ ମାସରେ ନୋଟିସ୍‌ ଜାରି କରାଯାଇଥିଲା ବୋଲି ‘ଦି ୱାସିଂଟନ୍‌ ପୋଷ୍ଟ୍‌ ରିପୋର୍ଟ’ କରିଛି।

ପ୍ରଥମେ ୧୮୮୮ରେ ପ୍ରକାଶନ ଆରମ୍ଭ କରିଥିବା ଆମେରିକାର ଏହି ବହୁଳ ପ୍ରସାରିତ ପତ୍ରିକା ସମ୍ପ୍ରତି ‘ଡିସ୍‌ନି’ ମାଲିକାନାରେ ରହିଛି। ୨୦୧୫ରେ ମାଲିକାନା ପରିବର୍ତ୍ତନ ପରେ ଏହା ହେଉଛି ଏହି ପତ୍ରିକାରେ ୪ର୍ଥ ପର୍ଯ୍ୟାୟ ଛଟେଇ। ‘ଫକ୍ସ’ ସହିତ ରାଜିନାମା କରିବା ପରେ ‘ଡିସ୍‌ନି’ ଏହି ପତ୍ରିକାର ମାଲିକାନା ଗ୍ରହଣ କରିଥିଲା। ଏବେ ‘ଦି ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌ ସୋସାଇଟି’ ଏହାର ନାମମାତ୍ର ଅଂଶୀଦାର ହୋଇ ରହିଛି।

publive-image Image Courtesy of The Washington Post

ବୁଧବାର ଦିନ ସମୁଦାୟ ୧୯ଜଣ ଲେଖକଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇଥିବା କଥା ଗଣମାଧ୍ୟମ ରିପୋର୍ଟ ଓ କେତେକ ସମ୍ପାଦକ କରିଥିବା ‘ଟୁଇଟ୍‌’ରୁ ଜଣାପଡ଼ିଛି।

ଏହାଛଡ଼ା, ପତ୍ରିକା ପାଇଁ ଚମତ୍କାର ଫଟୋ ପଠାଉଥିବା କେତେକ ଠିକା ଫଟୋଗ୍ରାଫର୍‌ମାନଙ୍କୁ ମଧ୍ୟ ଛଟେଇ କରାଯାଇଥିବା କଥା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏବେ ‘ମୁକ୍ତବୃତ୍ତ’ ଲେଖକ ବା ‘ଫ୍ରିଲାନ୍‌ସର୍‌’ମାନଙ୍କଠାରୁ ଲେଖା ସଂଗ୍ରହ କରି ଚାକିରିରେ ଥିବା ଅବଶିଷ୍ଟ ସମ୍ପାଦକମାନଙ୍କ ସହଯୋଗରେ ଏହି ପତ୍ରିକା ପ୍ରକାଶନ ଚାଲୁ ରଖାଯିବ ବୋଲି ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।