ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି। ଏହି ମେଳାରେ ଆଜି ୭୫୦୦୦ ନବନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୮ ବର୍ଷ ଧରି ଦେଶରେ ରୋଜଗାର ଏବଂ ଆତ୍ମନିର୍ଭର ଭାରତ ପାଇଁ ଚାଲିଥିବା ଅଭିଯାନ ଗୁଡିକରେ ଏହା ଏକ ନୂତନ ଅଧ୍ୟାୟ। ସ୍ୱାଧୀନତାର ୭୫ ବର୍ଷକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ଦଫାରେ ୭୫,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତ କାଳ ଅବଧିରେ ଏକ ବିକଶିତ ଭାରତର ନିର୍ମାଣ ପାଇଁ ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ରାସ୍ତାରେ ଅଗ୍ରସର ହେଉଛୁ। ଏହି ଯାତ୍ରାରେ ସମସ୍ତଙ୍କ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ସମସ୍ତ ଅତ୍ୟାବଶ୍ୟକ ସୁବିଧା ସମସ୍ତଙ୍କ ନିକଟରେ ପହଂଚିବା ହିଁ ଆମ ପାଇଁ ପ୍ରକୃତ ସଫଳତା ହେବ।
କୃଷି, ବେସରକାରୀ କ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇ ପରି ଅଧିକ ନିଯୁକ୍ତି ସୁଯୋଗ ରହିଥିବା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବଗୋଷ୍ଠୀର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଫୋକସ୍ କରାଯିବ। କୌଶଳ ବିକାଶ ଯୋଜନା ଅଧୀନରେ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ଯୁବକ ମାନଙ୍କୁ ତାଲିମ୍ ଦେବା ପାଇଁ ଏକ ବିଶାଳ ଅଭିଯାନ ଚାଲିଛି। ସ୍କିଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ୧.୨୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯାଇଛି। ସାରା ଦେଶରେ କୌଶଳ ବିକାଶ କେନ୍ଦ୍ର ଏବଂ ଶହ ଶହ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଖୋଲା ଯାଇଛି।
ମହାମାରୀ ସମୟରେ ପ୍ରାୟ ୧.୫ କୋଟି ଚାକିରିକୁ ସୁରକ୍ଷା ଦେଇ ଏମ୍ଏସ୍ଏମ୍ଇ ଗୁଡ଼ିକୁ ଏକ ବଡ଼ ଉପାୟରେ ସମର୍ଥନ କରା ଯାଇଥିଲା। ଏମ୍ଜିଏନ୍ଆର୍ଇଜିଏ ଦେଶରେ ୭ କୋଟି ଲୋକଙ୍କୁ କର୍ମନିଯୁକ୍ତି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କର ୩୮ ଟି ମନ୍ତ୍ରଣାଳୟ / ବିଭାଗରେ ଯୋଗ ଦେବେ। ନିଯୁକ୍ତ ବ୍ୟକ୍ତିମାନେ ସରକାରୀ ସେବାରେ ବିଭିନ୍ନ ସ୍ତର, ଯଥା ଗ୍ରୁପ୍ - ଏ, ଗ୍ରୁପ୍ - ବି (ଗେଜେଟେଡ୍), ଗ୍ରୁପ୍ - ବି (ଅଣ-ଗେଜେଟେଡ୍) ଏବଂ ଗ୍ରୁପ୍ - ସି ଇତ୍ୟାଦିରେ ଯୋଗ ଦେବେ। ଯେଉଁ ପଦବୀଗୁଡିକରେ ନିଯୁକ୍ତି ଦିଆ ଯାଉଛି ସେଥିରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ କର୍ମଚାରୀ, ସବ୍ ଇନ୍ସପେକ୍ଟର, କନେଷ୍ଟବଲ୍, ଏଲ୍ଡିସି, ଷ୍ଟେନୋ, ପିଏ, ଇନ୍କମ୍ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଏମ୍ଟିଏସ୍ ଇତ୍ୟାଦି ଅନ୍ତର୍ଭୁକ୍ତ।