ସରକାରୀ ଚାକିରି ପାଇଁ ଆବେଦନ କରିଛନ୍ତି ୨୨ କୋଟି, ୭ ଲକ୍ଷଙ୍କୁ ମିଳିଛି ଚାକିରି

ନୂଆଦିଲ୍ଲୀ: ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ସରକାର କହିଛନ୍ତି ଯେ ଚାକିରି ଯୋଗାଇଦେବାକୁ ପ୍ରଚେଷ୍ଟା ଚାଲିଛି | ତେବେ ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ କେତେଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ସେନେଇ ଆଜି ସଂସଦରେ ସରକାର ଉତ୍ତର ରଖିଛନ୍ତି | ଆଜି ସଂସଦରେ ସରକାର କହିଛନ୍ତି ଯେ ୨୦୧୪ ପରଠାରୁ କେନ୍ଦ୍ର ସରକାରରେ ୭ ଲକ୍ଷ ୨୨ ହଜାର ୩୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏକ ଲିଖିତ ଉତ୍ତରରେ ପର୍ସନାଲ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଚାକିରି ପାଇଁ ୨୨ କୋଟିରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା।

ଲିଖିତ ଉତ୍ତର ଅନୁଯାୟୀ, ୨୦୧୪-୧୫ ବର୍ଷରେ ଏକ ଲକ୍ଷ ୩୦ ହଜାର ୪୨୩ ଜଣ ଲୋକ ଚାକିରି ପାଇଛନ୍ତି। ୨୦୧୫-୧୬ରେ ଏକ ଲକ୍ଷ ୧୧ ହଜାର ୮୦୭, ୨୦୧୬-୧୭ରେ ଏକ ଲକ୍ଷ ଏକ ହଜାର ୩୩୩, ୨୦୧୭-୧୮ରେ ୭୬ ହଜାର ୧୪୭, ୨୦୧୮-୧୯ ରେ ୩୮ ହଜାର ୧୦୦, ୨୦୧୯-୨୦ରେ ଏକ ଲକ୍ଷ ୪୭ ହଜାର, ୨୦୨୦-୨୧ ରେ ୭୮ ହଜାର ୫୫୫ ଜଣଙ୍କୁ ଚାକିରି ଦିଆଯାଇଛି | ସେହିପରି ୨୦୨୧-୨୦୨୨ ମସିହାରେ ୩୮ ହଜାର ୮୫୦ଜଣ ଲୋକଙ୍କୁ ଚାକିରି ଦିଆଯାଇଥିଲା |

ସୂଚନା ଥାଉ କି ଯେ ବେରୋଜଗାର ଏବଂ ମୁଦ୍ରାସ୍ଫୀତି ସମ୍ପର୍କରେ ବିରୋଧୀମାନେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ କହିଛି ଯେ ବିଜେପି ପ୍ରତିବର୍ଷ ଦୁଇ କୋଟି ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା। ସେହିପରି ୨୦୧୪ଠାରୁ ୨୦୨୨ ମଧ୍ୟରେ ୨୨ କୋଟି ୦୫ ଲକ୍ଷ ୯୯ ହଜାର ୨୩୮ ଜଣ ଚାକିରି ପାଇଁ ଆବେଦନ କରିଥିଲେ |

ସମ୍ବନ୍ଧିତ ଖବର