ଲକଡାଉନ୍‌ରେ ଚାକିରି ହରାଇ ଲୁଟେରା ସାଜିଥିବା ୩ ବନ୍ଧୁଙ୍କୁ ଗିରଫ କଲା ପୁଲିସ୍‌

ଲୁଧିଆନା: ନୋଭେଲ କରୋନା ଭାଇରସ ବା ଭୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ କାରଣରୁ ନିଜର ଚାକିରି ହରାଇ ଲୁଟେରା ସାଜିଥିବା ୩ ବନ୍ଧ ପଞ୍ଜାବ ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୃଥକ୍‌ ପୃଥକ୍‌ ୬ଟି ଛିନ୍‌ତାଇ ଘଟଣାରେ ସଂପୃକ୍ତ ଥିବା ଏହି ତିନି ବନ୍ଧୁଙ୍କୁ ଗିରଫ କଲାପରେ ପୁଲିସ୍‌ ଏମାନଙ୍କ ନିକଟରୁ ଏକ ଖେଳନା ପିସ୍ତଲ ସମେତ ଅପରାଧରେ ବ୍ୟବହୃତ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି।
ଲୁଧିଆନା ପୁଲିସ ହାତରେ ଗିରଫ ହେବା ପୂର୍ବରୁ ଏହି ତିନି ଅପରାଧୀ ମିଳିତ ଭାବେ ପେଟ୍ରୋଲ ପମ୍ପ ଓ ମଦ ଦୋକାନ ସମେତ ଅନ୍ୟ ୬ଟି ସ୍ଥାନରୁ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏସଂପର୍କରେ ଅଭିଯୋଗ ହେବାପରେ ପୁଲିସ୍‌ ଏମାନଙ୍କୁ ଗିରଫ କରିବାକୁ ଖୋଜୁଥିଲା। ପୁଲିସ୍‌ ହାତରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ, ପବିତ୍ର ସିଂହ (୨୯), ମହିନ୍ଦର ସିଂହ (୩୩) ଓ ରୂପ ଲାଲ (୩୨)।
ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଲକ୍‌ଡାଉନ ପୂର୍ବରୁ ପବିତ୍ର ସିଂହ ଏକ କାରଖାନାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ରୂପ ଲାଲ ଏବଂ ମହିନ୍ଦର ସେଠାରେ ଶ୍ରମିକ ଥିଲେ। ତେବେ, ଲକ୍‌ଡାଉନ୍‌ କାରଣରୁ ଏହି ତିନି ଜଣ ନିଜ ନିଜର ଚାକିରି ହରାଇଥିଲେ। ଏଣେ ଋଣଭାରେ ବୁଡ଼ି ରହିଥିଲେ ଏହି ତିନି ଯୁବକ। ତେଣୁ, ସେମାନେ ଲୁଟେରା ସାଜିବାକୁ ମନସ୍ଥ କରି ଏକ ଖେଳନା ପିସ୍ତଲ କ୍ରୟ କରିଥିଲେ। ପରେ ତିନି ଅଭିଯୁକ୍ତ ଗୋଟିଏ ମୋଟର ସାଇକେଲରେ ଏକାଠି ମୁହଁରେ ମୁଖା ପିନ୍ଧି ଗ୍ରାମାଞ୍ଚଳ ଓ ବିଶେଷ କରି ନିକାଞ୍ଚନ ସ୍ଥାନମାନଙ୍କରେ ରହିଥିବା ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ଯାଇ ପହଞ୍ଚି ଯାଉଥିଲେ। ପରେ ସଂପୃକ୍ତ ପ୍ରତିଷ୍ଠାନର କ୍ୟାସ୍‌ କାଉଣ୍ଟରରେ ବସିଥିବା ବ୍ୟକ୍ତିକୁ ଖେଳନା ପିସ୍ତଲ ସାହାଯ୍ୟରେ ଭୟଭୀତ କରାଇ କ୍ୟାସ୍‌ ବାକ୍ସରେ ଥିବା ଟଙ୍କା ସବୁକୁ ଧରି ଫେରାର ହୋଇ ଯାଉଥିଲେ।

ସମ୍ବନ୍ଧିତ ଖବର