ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ପ୍ରଭାବ ଥିବା ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଇଣ୍ଡି ମେଣ୍ଟର ଅପ୍ରତ୍ୟାଶିତ ପ୍ରଦର୍ଶନକୁ ନେଇ ଦେଶବାସୀ ଅବାକ୍। ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ କଂଗ୍ରେସ ନିଶ୍ଚିତ ଭାବେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛି, ଯେତେବେଳେ କି ଏହି ରିପୋର୍ଟ ଲେଖା ହେବା ବେଳକୁ ୯୦ଟି ଆସନରେ ଆଗୁଆ ରହିଥିଲା। ବିଜେପି ଓ ଏନ୍‌ଡିଏ ପାଇଁ ଉତ୍ତରପ୍ରଦେଶ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଝଟକା ଭାବେ ଉଭା ହୋଇଛି। ୨୦୧୪ରେ ବିଜେପି ୭୧ ଓ ୨୦୧୯ରେ ୭୬ଟି ଆସନରେ ବିଜୟୀ ହୋଇଥିଲା। ଏଥର ବିଜେପିର ଖରାପ ପ୍ରଦର୍ଶନ ରାଜ୍ୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ସଙ୍କେତ ଦେଉଛି। ଦଳ ଚଳିତ ବର୍ଷ ଆର୍‌ଏଲ୍‌ଡି ସହ ମେଣ୍ଟ କରି ନିର୍ବାଚନ ଲଢୁଛି।

Advertisment

ଚଳିତ ଲୋକସଭା ନିର୍ବାଚନରେ ଅନେକ ରାଜ୍ୟରେ ବିଜେପିର ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିଛନ୍ତି। ଟ୍ରେଣ୍ଡ୍‌କୁ ଦେଖିଲେ ଏଥର ଦଳର ବ୍ୟକ୍ତିଗତ ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ୨୦୧୯ରେ ଏନ୍‌ଡିଏ ୩୫୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୩୦୩ଟି ଆସନରେ ବିଜୟୀ ହୋଇଥିଲା। ମହାରାଷ୍ଟ୍ରରେ ‘ଯୋଡ଼-ତୋଡ଼’ ରାଜନୀତିକୁ ବଡ଼ ଝଟକା ଲାଗିଥିବା ଜଣାପଡିଛି। ଶିବସେନା(ୟୁବିଟି), ଶରଦ ପାୱାରଙ୍କ ଏନ୍‌ସିପି ଓ କଂଗ୍ରେସକୁ ନେଇ ଗଠିତ ଇଣ୍ଡି ମେଣ୍ଟ ୪୮ଟି ଲୋକସଭା ଆସନ ମଧ୍ୟରୁ ୨୭ଟି ଆସନରେ ବିଜୟୀ/ଅଗ୍ରଣୀ ରହିବା ବିଜେପି ପାଇଁ ଏକ ବଡ଼ ଶିକ୍ଷା ବୋଲି କୁହାଯାଉଛି। ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ବିପୁଳ ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ସେମାନେ ୩୭୦-୪୦୧ ଆସନ ପାଇବେ ବୋଲି ଆକଳନ କରାଯାଇଥିଲା। ତେବେ ଏନ୍‌ଡିଏ ୩୦୦ରୁ ତଳୁ ଖସିଆସିବା ଦଳର ଭୁଲ୍‌ ରଣନୀତିକୁ ଦର୍ଶାଉଛି।