ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଯୌନ କେଳଙ୍କାରୀ ମାମଲାରେ ଦୀର୍ଘଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ସେ ଜେଲରୁ ବାହାରିଛନ୍ତି । ହେଲେ ଆଶାରାମ ବାହାରୁ ବାହାରୁ ପୁଣି ଥରେ ତାଙ୍କ ସମର୍ଥକମାନେ ଉତ୍ପାତ ହେବା ଆରମ୍ଭ କରିଦେଲେଣି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ତାଙ୍କ ଉପରେ ଲେଖା ଯାଉଥିବା ଏକ ବହିକୁ ନେଇ ବିବାଦ ବଢିବାରେ ଲାଗିଛି । କାରଣ ଏହି ବହିରେ ଆଶାରାମଙ୍କ ସମ୍ପର୍କରେ ଅନେକ କଥା ଲେଖାଯାଇଛି । ଖାଲି ଲେଖାଯାଇଛି ତାହା ନୁହେଁ; ଘଟଣାକୁ ନେଇ ପ୍ରଶ୍ନ ବି ଉଠିଲାଣି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗୁଜୁରାଟ ମାମଲାରେ ସୁପ୍ରିମକୋର୍ଟ ଆଶାରାମଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ସେପଟେ ଯୋଧପୁର ମାମଲାରେ ହାଇକୋର୍ଟ ଆଶାରାମଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତି ବି ଅନ୍ତରୀଣ ଜାମିନ ଦେଇଥିଲେ । ତେଣୁ ଜେଲର ଅନ୍ଧାରଘରୁ ବାହାରିଛନ୍ତି ଆଶାରାମ । କିନ୍ତୁ ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ଯେଉଁପରି ଭାବରେ ବାର୍ତ୍ତା ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ଅନେକ କହିଲେଣି । ତାଙ୍କ ଉପରେ ଲେଖାଯାଇଥିବା ବହିରେ କୁହାଯାଇଛି , କୁଆଡ଼େ ଆଶାରାମଙ୍କୁ ଜାଣିଶୁଣି ଫସେଇ ଦିଆଯାଇଛି । ଖାଲି ଏତିକି ନୁହେଁ ବରଂ ଏକା ସାଙ୍ଗରେ ଗୁଜୁରାଟ ଓ ରାଜସ୍ଥାନରେ ଦାୟର ହୋଇଥିବା ଦୁଇଟି ମାମଲାରେ ହୀନ ଚକ୍ରାନ୍ତ ଥିବା କୁହାଯାଉଛି । ଏହାସହ ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ବି ବହିରେ ଲେଖାଯାଇଛି ।
ଆଶାରାମ ବାପୁଙ୍କ ଉପରେ ଲେଖାଯାଇଥିବା ଏହି ବହିରେ ସୁପ୍ରିମକୋର୍ଟ ପ୍ରସଙ୍ଗରେ ବି ଅନେକ କଥା ଲେଖାଯାଇଛି । କୁହାଯାଇଛି, ଜଣେ ନିର୍ଦ୍ଦୋଶଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଯାଇପାରେ । ଏମିତି ଅନେକ ମାମଲା ସାମ୍ନାକୁ ବି ଆସିଛି । ଏହାସହ ବହିର ମଲାଟରେ ସୁପ୍ରିମକୋର୍ଟର ଫଟୋ ବି ରହିଛି । ଠିକ୍ ସେହିପରି ବହିର ଶେଷ ପୃଷ୍ଠାରେ ଆଶାରାମ ବାପୁଙ୍କ ଫଟୋ ଛପା ଯାଇଛି । ସେପଟେ ତାଙ୍କ କର୍ମୀ କହୁଛନ୍ତି, ଆଜିକା ସମୟରେ ଆଶାରମ କେବଳ ବହିରେ ରହିନାହାନ୍ତି ବରଂ ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଅଛନ୍ତି ।