ଓ୍ବାସିଂଟନ : ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ ହୋଇଯାଇଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ । ଅନ୍ୟପକ୍ଷରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଆମେରିକାର ପ୍ରଥମ ମହିଳା ଓ କୃଷ୍ଣକାୟ ଉପରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି ସିଏନଏନ ରିପୋର୍ଟ ପ୍ରକାଶ କରିଛି ।
ରାଷ୍ଟ୍ରପତି ହେବାକୁ ଅତିକମରେ ୨୭୦ଟି ଇଲେକ୍ଟରାଲ ଭୋଟ ଆବଶ୍ୟକ ଥିବାବେଳେ ବାଇଡେନ୍ ସମୁଦାୟ ୨୯୦ଟି ଇଲେକ୍ଟରାଲ ଭୋଟ ଜିତି ବିଜୟ ହାସଲ କରିଛନ୍ତି ।ଏହାପରେ ସେ ଟୁଇଟ୍ କରିଛନ୍ତି, ‘ମୁଁ ସମସ୍ତ ଆମେରିକୀୟଙ୍କ ରାଷ୍ଟ୍ରପତି ହେବି। ଆପଣ ମତେ ଭୋଟ୍ ଦେଇଥାଆନ୍ତୁ, କି ନ ଦେଇଥାଆନ୍ତୁ। ଆପଣମାନେ ମୋ ଉପରେ ପ୍ରକଟ କରିଥିବା ଆସ୍ଥାକୁ ମୁଁ ବଜାୟ ରଖିବି।’
America, I’m honored that you have chosen me to lead our great country.
The work ahead of us will be hard, but I promise you this: I will be a President for all Americans — whether you voted for me or not.
I will keep the faith that you have placed in me. pic.twitter.com/moA9qhmjn8
— Joe Biden (@JoeBiden) November 7, 2020
ବାଇଡେନ ପୂର୍ବରୁ ବାରାକ୍ ଓବାମାଙ୍କ ସରକାରରେ ଉପରାଷ୍ଟ୍ରପତି ଥିଲେ । ଅନ୍ୟପକ୍ଷରେ ଏହି ନିର୍ବାଚନ ଫଳାଫଳ ସହ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରୁ ବିଦାୟ ନେବା ନିଶ୍ଚିତ ହୋଇଯାଇଛି । ଦୀର୍ଘ ୨୮ ବର୍ଷ ପରେ କୌଣସି ନିର୍ବାଚିତ ରାଷ୍ଟ୍ରପତି ପୁନଃ-ନିର୍ବାଚନ ହାରିଯାଇଛନ୍ତି । ପୂର୍ବରୁ ଜର୍ଜ ବୁଶ୍ (ସିନିୟର) ୧୯୯୨ରେ ପୁନଃ-ନିର୍ବାଚନ ହାରିଯାଇଥିଲେ । ତାଙ୍କୁ ପରାଜିତ କରି ଡେମୋକ୍ରାଟିକ ଦଳର ବିଲ କ୍ଲିଣ୍ଟନ ନିର୍ବାଚନ ଜିତିଥିଲେ । ଟ୍ରମ୍ପଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୧୦ ଜଣ ଆମେରିକୀୟ ରାଷ୍ଟ୍ରପତି ପୁନଃ-ନିର୍ବାଚନ ହାରିଛନ୍ତି ।