ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ; ‘ଆପ୍ରୁଭାଲ ରେଟିଂ’ରେ ଅଶାତୀତ ଅବନତି

ନ୍ୟୁୟର୍କ: ଆଫଗାନିସ୍ତାନରୁ ଆମେରିକୀୟ ସେନାଙ୍କ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ଓ ତାଲିବାନୀମାନଙ୍କ ଶାସନ କ୍ଷମତା ଅକ୍ତିଆର ପରେ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଉପରେ ଲୋକମାନଙ୍କର ବିଶ୍ୱାସ ତୁଟିବାରେ ଲାଗିଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଆମେରିକା ସହ ସାରା ବିଶ୍ୱ ବିରୋଧ କରିଛି । ଏହି ଘଟଣାକୁ କେନ୍ଦ୍ରକରି ବିଶ୍ୱ ସମୁଦାୟ ଆଗରେ ବାଇଡେନଙ୍କ ଲୋକପ୍ରିୟତା ବା ‘ଆପ୍ରୁଭାଲ ରେଟିଂ’ ଆଶତୀତ ଭାବେ କମିବାରେ ଲାଗିଛି । ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିବା ପରେ ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ ଆଫଗାନର ରାଜଧାନୀ କାବୁଲ ଦଖଲ କରିଥିଲେ ।

ଦୁଇଟି ଘରୋଇ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ ଏବେ ବାଇଡେନଙ୍କ ଆପ୍ରୁଭାଲ ରେଟିଂ (ଅନୁମୋଦନ ମୂଲ୍ୟାଙ୍କନ) ୪୩ ପ୍ରତିଶତକୁ ଖସି ଆସିଛି । ଯାହାକି ବାଇଡେନ ରାଷ୍ଟ୍ରପତି ହେବା ପରେ ସବୁଠାରୁ ନିମ୍ନ ସ୍ତରର ଲୋକପ୍ରିୟତା । ଅନେକ ଆମେରିକୀୟ ବାଇଡେନଙ୍କ ବିଦେଶ ନୀତିକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ବାଇଡେନଙ୍କ ଏଭଳି ନିଷ୍ପତ୍ତିକୁ କଡା ନିନ୍ଦା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଛନ୍ତି କି ବାଇଡେନଙ୍କର ଏଭଳି ନିଷ୍ପତ୍ତି ସମୟପୋଯୋଗୀ ନୁହେଁ । ସେପଟେ ବାଇଡେନ କହିଛନ୍ତି କି ଆମେରିକୀୟ ସେନା ଓ ରାଷ୍ଟ୍ରହିତରେ ଏଭଳି ନିଷ୍ପତ୍ତି ନିଆଯାଇଛି । ହେଲେ, ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଏଭଳି ନିଷ୍ପତ୍ତିିକୁ କେବଳ ରାଜନୈତିକ ସ୍ତରରେ ବିରୋଧ କରାଯାଇ ନାହିଁ ବରଂ ଆମେରିକା ସେନାର ପୂର୍ବ ଅଧିକାରୀ ବି ବାଇଡେନଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର