ନୂଆଦିଲ୍ଲୀ: ତାଙ୍କୁ ଡୋନାଲ୍ଡ୍ ଟ୍ରମ୍ପ୍ କହନ୍ତି, ‘ନିଦ୍ରାଳୁ ଜୋ’। ଏମିତି କହି ସେ ଆମେରିକୀୟ ଭୋଟର୍ମାନଙ୍କୁ ସ୍ମରଣ କରାଇ ଦେଉଥିଲେ ଯେ, ଜୋ ବାଇଡେନ୍ ହେଉଛନ୍ତି ବୁଢ଼ା, ୭୭ ବର୍ଷର ବୁଢ଼ା। ୧୯୪୨ ମସିହା ନଭେମ୍ବର ମାସରେ ଜୋ ଜନ୍ମଗ୍ରହଣ କରିବା ବେଳେ ଭାରତରେ ଚାଲିଥିଲା ଭାରତ ଛାଡ଼ ଆନ୍ଦୋଳନ।
ଆମେରିକାର ରାଷ୍ଟ୍ରପତି ହେବାକୁ ଜୋ ସାରା ଜୀବନ ସ୍ବପ୍ନ ଦେଖୁଥିଲେ। ଏ ସଂକ୍ରାନ୍ତରେ ସେ ୧୯୮୦ରେ ଗୁରୁତ୍ବର ସହ ବିଚାର କରିଥିଲେ। ୧୯୮୪ରେ କାଗଜପତ୍ରରେ ଦସ୍ତଖତ କରି ମଧ୍ୟ ଦାଖଲ କଲେନାହିଁ। ପୁଣି ୧୯୮୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କାଗଜପତ୍ର ଦାଖଲ କଲେ କିନ୍ତୁ, ଏକ ଦୁର୍ନୀତି ମାମଲା କାରଣରୁ ତାହା ସମ୍ଭବ ହେଲାନାହିଁ। ୨୦୦୮ରେ ସେ ପୁଣି ଥରେ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କୁ ବାରାକ୍ ଓବାମାଙ୍କ ସହ ଉପରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା।
ସ୍କ୍ରାନ୍ଟନ୍ ସହର ପାଖ ଗ୍ରିନ୍ ରିଜ୍ର ବଢ଼ିଥିବା ଜୋ ପିଲାଦିନେ ଥିଲେ ଖୁବ୍ ଦୁଃସାହସୀ। ଉତ୍ତପ୍ତ କୋଇଲା ଗଦା ଉପରେ ଚଢ଼ି ଓ ଓଜନିଆ କଳକବ୍ଜା ତଳେ ଗଳି ସେ ଅନେକଥର ଖଣ୍ଡିଆ ଖାବର ହୋଇଥିଲେ। ତାଙ୍କର ପାଟି ମଧ୍ୟ ଲାଗୁଥିଲା। ତାଙ୍କୁ ଚିଡ଼େଇବାକୁ ଜଣେ ସ୍କୁଲ୍ ଶିକ୍ଷକ ତାଙ୍କୁ ‘ବାଇ ବାଇ ବ୍ଲାକ୍ବାର୍ଡ’ ବୋଲି କହୁଥିଲେ। ଏ ଅପମାନକୁ ସହ୍ୟ କରି ‘ଜୋ’ ନିଜ ଉଦ୍ୟମ ବଳରେ ସ୍ପଷ୍ଟ ଭାବେ କଥା କହିବା ସହ ଜଣେ ସୁବକ୍ତା ହୋଇପାରିଲେ।
/sambad/media/post_attachments/wp-content/uploads/2020/11/oj-1024x640.jpeg)
ବାପାଙ୍କ କାମ ଯୋଗୁଁ ୧୦ ବର୍ଷ ବୟସରୁ ଜୋ ସ୍କ୍ରାନ୍ଟନ୍ରୁ ଯାଇ ତାଙ୍କ ନୂଆଘର ଡିଲାୱେର୍ରେ ରହିଲେ। ସେଠାରେ କ୍ରମେ ସେ ଜଣେ ନେତା ପାଲଟି ଗଲେ। ରାଜନୈତିକ ବ୍ୟାପାରରେ ଧୁରନ୍ଧର ହୋଇ ଛଅଥର ସିନେଟ୍କୁ ନିର୍ବାଚିତ ହେଲେ। ତା’ପରେ ବାରାକ୍ ଓବାମାଙ୍କ ସହ ୱାସିଂଟନ୍ ଡିସିକୁ ଗଲେ।
ଜୀବନ କ’ଣ ତାହା ନିଜ ବାପାଙ୍କୁ ଦେଖି ଶିଖିଥିଲେ ଜୋ। ପ୍ରତିଦିନ ସକାଳୁ ଉଠି ବାପା କାମକୁ ଯାଆନ୍ତି, ଯେଉଁ କାମ ବାପାଙ୍କୁ ଆଦୌ ଭଲ ଲାଗୁ ନ ଥିଲା। ବାପା ତାଙ୍କୁ ଶିଖାଇ ଥିଲେ: ‘‘ବଞ୍ଚିବାର ରହସ୍ୟ ହେଲା ଧକ୍କା ଖାଇ ପଡ଼ିଯିବା ପରେ ଉଠିପଡ଼ିବା।’’
୧୯୭୨ରେ ୨୯ ବର୍ଷ ବୟସରେ ଜୋ ପ୍ରଚଣ୍ଡ ଧକ୍କା ଖାଇଥିଲେ। ଯେଉଁ ବର୍ଷ ସେ ଆମେରିକା ଇତିହାସରେ ପଞ୍ଚମ ସର୍ବକନିଷ୍ଠ ସିନେଟର୍ ହୋଇଥିଲେ। ୱାସିଂଟନ୍ରେ ସେ ଆସନ ଅଳଙ୍କୃତ କରିବା ପୂର୍ବରୁ ‘ବଡ଼ଦିନ ଗଛ’ ଆଣିବାକୁ ଗାଡ଼ି ଚଳାଇ ଯାଇଥିବା ତାଙ୍କ ପତ୍ନୀ ନିଲିଆ ଏବଂ ଟିକିଝିଅ ନାଓମି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ବିଉ ଓ ହଣ୍ଟର୍ ମଧ୍ୟ ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇଥିଲେ।
କିଛି ଦିନ ଲାଗି ଜୋ ନିଜର ସମସ୍ତ ଅଭିଳାଷ ପରିହାର କରିଥିଲେ। ଏଇ ଘଟଣାରୁ ମଧ୍ୟ ସେ ବୁଝିପାରିଥିଲେ ଜଣେ ସଚେତନ ଅବସ୍ଥାରେ କିଭଳି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ। କିନ୍ତୁ, ବାପାଙ୍କ ଶିକ୍ଷା ଅନୁସାରେ, ଜୋ ‘ଉଠି ପଡ଼ିଲେ’ ଓ ‘ଆଗେଇ ଚାଲିଲେ’। ଦିନରେ ସେ ହେଲେ ସିନେଟର୍ ଓ ରାତିରେ ଦୁଇ ପୁଅଙ୍କର ସ୍ନେହୀ ବାପା। ଦୁଇ ପୁଅଙ୍କ ଲାଗି ସେ ପ୍ରତି ରାତିରେ ୧୫୦ କିଲୋମିଟର୍ ଦୂର ଡିଲେୱେର୍ରେ ଥିବା ଘରକୁ ଯାଉଥିଲେ।
/sambad/media/post_attachments/wp-content/uploads/2020/11/joe-biden.jpg)
ପରବର୍ତ୍ତୀ ଧକ୍କା ଆସିଥିଲା ୧୯୮୮ ମସିହାରେ। ଦୁଇ ଥର ଧମନୀଜନିତ ରୋଗରେ ପୀଡ଼ିତ ହୋଇ କିଛି ଦିନ ପାଇଁ ତାଙ୍କ ମୁହଁର ମାଂସପେଶୀ ସ୍ଥାଣୁ ହୋଇଯାଇଥିଲା। ଏହା ପରବର୍ତ୍ତୀ ଧକ୍କା ଆସିଲା ୨୦୧୫ରେ। ମସ୍ତିସ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁଅ ବିୟୁ ମୃତ୍ୟୁ ବରଣ କଲା। ଏହାପରେ ଆମେରିକା ନୌସେନାରେ କାର୍ଯ୍ୟରତ ପୁଅ ହଣ୍ଟର୍ ନିଶା ଔଷଧ ସେବନ କରୁଥିବାରୁ ଚାକିରିରୁ ବିତାଡ଼ିତ ହେଲା। ବିୟୁ ମୃତ୍ୟୁବେଳକୁ ଜୋ ଦ୍ବିତୀୟ ଥର ଆମେରିକାରର ଉପରାଷ୍ଟ୍ରପତି ହୋଇଥାଆନ୍ତି। ବିୟୁର ମୃତ୍ୟୁଯୋଗୁଁ ସେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଆସିଥିଲେ।
୧୯୮୦ରେ ତାଙ୍କର ବନ୍ଧୁ ଜନ୍ ମାର୍ସିଲା ତାଙ୍କୁ ପଚାରିଥିଲେ, କାହିଁକି ରାଷ୍ଟ୍ରପତି ହେବାକୁ ଚାହୁଁଛୁ? ରାଷ୍ଟ୍ରପତି ହୋଇଗଲେ କ’ଣ କରିବୁ? ଆଜି ସେ ରାଷ୍ଟ୍ରପତି ହେବା ପରେ ହୁଏ ତ ବନ୍ଧୁଙ୍କର ସେ ଦୁଇଟି ପ୍ରଶ୍ନର ଉତ୍ତର ଖୋଜି ପାଇଥିବେ।