ଓ୍ଵାସିଂଟନ୍: କୁକୁର ସହ ଖେଳୁଥିବା ବେଳେ ଗୋଡ଼ ଖସିଯାଇ ମୋଡ଼ି ହୋଇଯିବାରୁ ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କ ଡାହାଣ ପାଦର ହାଡ଼ ସାମାନ୍ୟ ଚଡ଼କି (ହେୟାର୍ ଲାଇନ୍ କ୍ରାକ୍) ଯାଇଛି। କିଛି ସପ୍ତାହ ପାଇଁ ତାଙ୍କୁ ‘ଓ୍ଵାକିଂ ବୁଟ୍’ ପିନ୍ଧିବାକୁ ପଡ଼ିପାରେ ବୋଲି ତାଙ୍କ ଚିକିତ୍ସକ କହିଛନ୍ତି।
ହାଡ଼ ଫାଟି ଥିବା କଥା ପ୍ରାଥମିକ ‘ଏକ୍ସ-ରେଜ୍’ରୁ ଜଣାପଡ଼ି ନ ଥିଲା। କିନ୍ତୁ, ଏହା ପରେ ‘ସିଟି ସ୍କାନ୍’ କରାଯିବା ପରେ ବାଇଡେନ୍ଙ୍କ ପାଦ ମଝିରେ ଥିବା ଦୁଇଟି ଛୋଟ ହାଡ଼ ସାମନ୍ୟ ଚଡ଼କି ଯାଇଥିବା କଥା ଜଣାପଡ଼ିଥିଲା ବୋଲି ରବିବାର ଦିନ ଏକ ବିବୃତିରେ ଡାକ୍ତର କେଭିନ୍ ଓ’କନ୍ନୋର୍ କହିଛନ୍ତି।
/sambad/media/post_attachments/wp-content/uploads/2020/11/biden-8-1024x576.jpg)
ବାଇଡେନ୍ ଦୁଇଟି ‘ଜର୍ମାନ୍ ସେଫର୍ଡ’ କୁକୁର ପାଳିଛନ୍ତି। ସେମାନଙ୍କ ମଧ୍ୟରୁ ‘ମେଜର୍’ ନାମକ କୁକୁର ସହ ଶନିବାର ଦିନ ଖେଳୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇ ବଳାଗଣ୍ଠି ମକଚି ହୋଇଯାଇଥିଲା।
ଶନିବାର ଦିନ ଆହତ ହୋଇଥିବା ବାଇଡେନ୍ ରବିବାର ଅପରାହ୍ଣରେ ଡିଲେଓ୍ଵାର୍ର ନ୍ୟୁଆର୍କରେ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ଭେଟିଥିଲେ।
ଏ ସମ୍ବାଦ ପାଇ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ଶୀଘ୍ର ସୁସ୍ଥ ହୁଅନ୍ତୁ!
ଆସନ୍ତା ବର୍ଷ ଜାନୁଆରି ୨୦ ତାରିଖରେ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।