ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଜୁଏଲ ଓରାମ ଆଜି ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିଛନ୍ତି। ସ୍ଥାନୀୟ ଶାସ୍ତ୍ରୀ ଭବନସ୍ଥିତ ମନ୍ତ୍ରାଳୟରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଆଦିବାସୀ ମନ୍ତ୍ରାଳୟ ଗଠନ ହେବା ପରଠାରୁ ତିନିଥର ମନ୍ତ୍ରୀ ହେବାରେ ସେ ରେକର୍ଡ କରିଛନ୍ତି। ଏହି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ସେ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳ ସହ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ଦାୟିତ୍ବ ଗ୍ରହଣ କରିବା ପରେ ଜୁଏଲ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ଜୁଏଲ କହିଲେ, ଜନଜାତି ବର୍ଗଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆଦିବାସୀ ମନ୍ତ୍ରାଳୟ ଲଗାତାର କାର୍ଯ୍ୟ ଜାରି ରଖିଛି। ଆଗକୁ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମଧ୍ୟ ଏହା ଜାରି ରହିବ। ମୋଦୀ ସରକାର ଆଦିବାସୀଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି। ଆଦିବାସୀ ଅଂଚଳରେ ସ୍ବାସ୍ଥ୍ୟ କ୍ଷେତ୍ରର ସୁଧାର ପାଇଁ ମଧ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ଯେଉଁ ସବୁ ଯୋଜନା ଜାରି ରହିଛି ତାହା ଆଗକୁ ମଧ୍ୟ ଜାରି ରହିବ। ଆସନ୍ତା ମଙ୍ଗଳବାର ସେ ମନ୍ତ୍ରାଳୟର ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନାର ସମୀକ୍ଷା କରିବେ। ତଦନୁସାରେ ଆଗକୁ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇପାରିବ ବୋଲି ଜୁଏଲ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsfshf.jpg)