ୱାସିଂଟନ୍ : ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଡ଼ ଝଟ୍କା ଲାଗିଛି। ଦେଶର ଶାସନକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ପ୍ରତିଷ୍ଠାନର ଗରିମା କ୍ଷୁର୍ଣ୍ଣ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏହାର ପରିଣତି ଜଟିଳ ରୂପ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଡେମୋକ୍ରାଟିକ୍ ଦଳର ବିଜୟକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ସ୍ବପ୍ନ ପରି ମନେ ହେଉଛି। ଏକ ସଫଳ ତଥା ପରିପକ୍ବ ଗଣତନ୍ତ୍ର ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଭୁଲ୍ ଏବଂ ଏକଚାଟିଆ ନିଷ୍ପତ୍ତି ପାଇଁ ବଦନାମ ହୋଇଛି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଟ୍ରମ୍ପ୍ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ନିର୍ବାଚନକୁ ଡେମେକ୍ରାଟିକ୍ ପାର୍ଟି ଏବଂ ଜୋ ବାଇଡେନ ହଡ଼ପ କରି ନେଇଛନ୍ତି। ଏପରିକି ଟ୍ରମ୍ପ୍ ନ୍ୟାୟିକ ଲଢ଼େଇ ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଟ୍ରମ୍ପ୍ ଭୋଟ୍ ଜାଲିଆତି ହୋଇଥିବା ନେଇ ଯେଉଁ ଅଭିଯୋଗ କରିଛନ୍ତି ସେନେଇ ସେ କୌଣସି ପ୍ରମାଣ ଯୋଗାଡ଼ କରିପାରିନାହାନ୍ତି। ଆଇନଗତ ଲଢ଼େଇରେ ମଧ୍ୟ ସେ ହାରି ଯାଇଛନ୍ତି। ଟ୍ରମ୍ପ୍ ଆଣିଥିବା ଅଭିଯୋଗ ଆମେରିକାରେ ବିଭେଦ ଓ ବିଦ୍ବେଶର ମଂଜି ବୁଣିଛି। ବର୍ଣ୍ଣବୈଷମ୍ୟକୁ ନେଇ ଚିନ୍ତା ବଢ଼ୁଛି। ଏଭଳି ସମୟରେ ୨୦୦୮ ମସିହାରେ ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜନ୍ ମ୍ୟାକେନ୍ଙ୍କ ପରାଜୟ ସ୍ବୀକାରୋକ୍ତି ଭାଷଣ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଜନ୍ ମ୍ୟାକେନ୍ ବାରାକ୍ ଓବାମାଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ସେ ପରାଜୟକୁ ବେଶ୍ ନମ୍ରତାର ସହ ସ୍ବୀକାର କରିଥିଲେ। ମ୍ୟାକେନ୍ ଓବାମାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ଏବେ ତାଙ୍କର ସେହି ଭାଷଣ ଚର୍ଚ୍ଚାର ବିଷୟ ପାଲଟିଛି।
ପରାଜୟକୁ ସ୍ବୀକାର କରି ମ୍ୟାକେନ୍ କହିଥିଲେ- ‘ଆମେ ଏକ ଦୀର୍ଘ ଯାତ୍ରା ଶେଷ କରିଛୁ। ଆମେରିକାବାସୀ ସେମାନଙ୍କ ମତ ଉପସ୍ଥାପନ କରିସାରିଛନ୍ତି ଏବଂ ସେମାନେ ଅତି ସ୍ପଷ୍ଟ ମତ ରଖିଛନ୍ତି । କିଛି ସମୟ ପୂର୍ବରୁ ମୁଁ ସିନେଟର ବାରାକ୍ ଓବାମାଙ୍କୁ ଫୋନ୍ କରି ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲି। ଯେଉଁ ରାଷ୍ଟ୍ରକୁ ଆମେ ଭଲପାଉ ସେହି ରାଷ୍ଟ୍ରର ନୂଆ ରାଷ୍ଟ୍ରପତି ହୋଇଥିବାରୁ ମୁଁ ତାଙ୍କ ଅଭିନନ୍ଦନ ଜଣାଉଛି। ଏହି ନିର୍ବାଚନରେ ଯେଉଁମାନେ ନିଜର କମ୍ ପ୍ରଭାବ ଏବଂ କମ୍ ଅଭିଜ୍ଞତା ଅଛି ବୋଲି ଭାବୁଥିଲେ ଓବାମା ସେମାନଙ୍କୁ ବେଶ୍ ଭଲଭାବେ ଅନୁପ୍ରାଣିତ କରିପାରିଛନ୍ତି। ଓବାମା କୋଟି କୋଟି ଆମେରିକୀୟଙ୍କ ବିଶ୍ବାସ ଜିତିପାରିଛନ୍ତି।‘ ଆଫ୍ରିକୀୟ ଆମେରିକୀୟଙ୍କ ପାଇଁ ଓବାମାଙ୍କ ବିଜୟର ଐତିହାସିକ ଗୁରୁତ୍ବକୁ ସିନେଟର ମ୍ୟାକେନ୍ ବେଶ୍ ଭଲଭାବେ ବୁଝିପାରିଥିଲେ ଏବଂ ଓବାମାଙ୍କ ରାଷ୍ଟ୍ରପତିତ୍ବ ସମୟରେ ସେ ଦେଶର ନେତୃତ୍ବ ନେବାରେ ଓବାମାଙ୍କୁ ସବୁପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ମ୍ୟାକେନ୍ ତାଙ୍କ ଭାଷଣ ଶେଷ କରି କହିଥିଲେ, ‘ଆମ ଭିତରେ ଯାହା ବି ବିଭେଦ ଥାଉ ଆମେ କିନ୍ତୁ ଆମେରିକାର ନାଗରିକ। ଏହାଠାରୁ ବଡ଼ ସମାନତା ଆଉ କିଛି ନାହିଁ। ’ ଗୋଟିଏ ପଟେ ଆମେରିକାର ପ୍ରତିଷ୍ଠା, ଗୌରବ ଏବଂ ଭାଇଚାରାର ପରମ୍ପରାକୁ କାଏମ ରଖି ମ୍ୟାକେନ୍ ନମ୍ରତାର ସହ ଜନାଦେଶକୁ ସ୍ବୀକାର କରିଥିଲେ ଏବଂ ଆମେରିକୀୟ ରାଜନୀତିର ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବେଳେ ଏବେ ଟ୍ରମ୍ପ୍ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଯେନତେନ ପ୍ରକାରେ କ୍ଷମତା ଅକ୍ତିଆର ପାଇଁ ଯୋଜନା କରୁଛନ୍ତି। ଟ୍ରମ୍ପ୍ଙ୍କ ଏହି ଯୋଜନାକୁ ପଣ୍ଡ କରିବା ପାଇଁ ଡେମୋକ୍ରାଟିକ୍ ଦଳ ମଧ୍ୟ ଯୁଦ୍ଧ ଘୋଷଣା କରିସାରିଛି।