ଲକ୍‌ଡାଉନ୍ ନିୟମ ଭାଙ୍ଗି ଜନ୍‌ସନ୍‌ ଅଡ଼ୁଆରେ

ଲଣ୍ଡନ: ୨୦୧୯ ନିର୍ବାଚନରେ ବ୍ୟାପକ ଭୋଟରେ ଜିତିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୨୦୨୦ ଲକ୍‌ଡାଉନ୍ ସମୟର ଏକ ଭାଇରାଲ ଭିଡିଓକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ପ୍ରଥମ କରୋନା ଭାଇରସ୍ ଲକ୍‌ଡାଉନ୍ ସମୟରେ ଜନସନଙ୍କ ପ୍ରାଇଭେଟ୍ ସେକ୍ରେଟେରି ୧୦୦ରୁ ଅଧିକ ଲୋକଙ୍କୁ ‘ବ୍ରିଙ୍ଗ୍ ୟୋର୍ ଓନ୍ ବୁଜ୍’ (ନିଜ ମଦ ନିଜେ ଆଣ) ପାର୍ଟିରେ ଯୋଗ ଦେବା ପାଇଁ ଡାଉନିଂ ‌ଷ୍ଟ୍ରିଟ୍‌ ଉଦ୍ୟାନକୁ ନିମନ୍ତ୍ରଣ କରିଥିଲେ। ଭାଇରାଲ ଭିଡିଓରେ ୨୦୨୦ ଖ୍ରୀଷ୍ଟମାସ ଲକ୍‌ଡାଉନ୍ ସମୟର ଡାଉନିଂ ଷ୍ଟ୍ରିଟ୍ ପାର୍ଟିକୁ ନେଇ ତାଙ୍କ କର୍ମଚାରୀମାନେ ହସୁଥିବା ଓ ଥଟ୍ଟାମଜା କରୁଥିବାର ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଛି, ଡାଉନିଂ ଷ୍ଟ୍ରିଟ୍‌ରେ ଏଇ ଗୋଟିଏ ନୁହେଁ ଅନେକ ପାର୍ଟି କରାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ସହ ବିରୋଧୀ ଦଳ ଲେବର ପାର୍ଟି ନେତା କେର ଷ୍ଟାମର ଜନସନଙ୍କର ଦେଶ ଚଳାଇବାର ନୈତିକ ଅଧିକାର ନାହିଁ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମାର୍ଟିନ ରେନୋଲ୍‌ଡ ଇମେଲ୍‌ରେ ଏକ ନିମନ୍ତ୍ରଣପତ୍ର ପଠାଇବା ପରେ ୨୦୨୦ ମେ ୨୦ରେ ଡାଉନିଂ ଷ୍ଟ୍ରିଟ୍ ଉଦ୍ୟାନରେ ଜନସନଙ୍କ ପ୍ରାୟ ୪୦ ଜଣ କର୍ମଚାରୀଙ୍କ ସମେତ ଜନସନ ଓ ତାଙ୍କ ସାଥୀ କ୍ୟାରୀ ପାର୍ଟିରେ ଯୋଗ ଦେଇଥିଲେ। ନିଜ ମଦ ନିଜେ ଆଣି ସଂଧ୍ୟା ୬ଟାରେ ପାର୍ଟିରେ ଯୋଗ ଦେବା ପାଇଁ ରେନୋଲ୍‌ଡ ନିମନ୍ତ୍ରଣପତ୍ରରେ ଲେଖିଥିଲେ। ଏହି ପାର୍ଟି ଚାଲିଥିବା ସମୟରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ ଥିଲା, ସମସ୍ତ ମଦବାର୍ ଓ ରେସ୍ତୋରାଁଗୁଡ଼ିକ ବି ବନ୍ଦ ଥିଲା। ସାମାଜିକ ଉତ୍ସବ, ସମାବେଶ ଓ ପାର୍ଟି ଆଦି ଉପରେ କଡ଼ା କଟକଣା ଲାଗୁ କରାଯାଇଥିଲା। ପୁଲିସ ଠାକୁ ଠା ଚେକ୍ ପଏଣ୍ଟ କରି ଲୋକଙ୍କୁ ଜଗୁଥିଲା। ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇଟିଭିରେ ପ୍ରସାରିତ ଉକ୍ତ ରିପୋର୍ଟ ଉପରେ କିଛି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧିତ ଖବର