ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଅନୁଗତମାନେ ଜଣକ ପରେ ଜଣେ ହାତ ଛାଡ଼ୁଛନ୍ତି। ଗତକାଲି ଦେଶର ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେବା ପରେ ବି ଦମ୍ଭର ସହ ଜନସନ କହିଥିଲେ ଯେ ସେ ପଦବି ଛାଡ଼ିବେ ନାହିଁ। ଆଜି ଆଉ ୫ ଜଣ ମନ୍ତ୍ରୀ ଇସ୍ତଫା ଦେଇ ତାଙ୍କର ମେରୁଦଣ୍ଡ ଦୋହଲାଇ ଦେଇଛନ୍ତି। ଶିଶୁ ଓ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ କ୍ବିନ୍ସ ବୁଧବାର ଇସ୍ତଫା ଦେଇ କହିଛନ୍ତି ଯେ ତାଙ୍କ ପାଖରେ ଆଉ ଅନ୍ୟ ବିକଳ୍ପ ନ ଥିଲା। ଜନସନ ସରକାରରୁ ସେ ଆସ୍ଥା ହରାଇଛନ୍ତି। ସେହିପରି କନିଷ୍ଠ ପରିବହନ ମନ୍ତ୍ରୀ ଲରା ଟ୍ରଟ୍ ମଧ୍ୟ ସମାନ କାରଣ ଦର୍ଶାଇ ବୁଧବାର ଇସ୍ତଫା ଦେଇଛନ୍ତି।

Advertisment

ଅପରପକ୍ଷେ କ୍ଷମତାରେ ରହିବାକୁ ୫୮ ବର୍ଷୀୟ କଞ୍ଜରଭେଟିଭ୍ ନେତାଙ୍କର ପ୍ରୟାସର ମଧ୍ୟ ଅନ୍ତ ନାହିଁ। ମଙ୍ଗଳବାର ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭିଦ ଜନସନଙ୍କ କାଳିମାଲିପ୍ତ ସରକାରରେ ରହିବାକୁ ଚାହାନ୍ତି ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ‘ଯେମିତି ବି ହଉ ମୁଁ କ୍ଷମତାରେ ରହିବି, ପଦ ଛାଡ଼ିବି ନାହିଁ’ କହି ହଇଚଇ ସୃଷ୍ଟି କରିଥିଲେ। ଆଜି ୫ ମନ୍ତ୍ରୀଙ୍କ ଇସ୍ତଫା ପରେ ସେ ଆଉ ଦୁଇଜଣଙ୍କୁ ମନ୍ତ୍ରିପଦରେ ବସାଇଥିଲେ। ଶିକ୍ଷାମନ୍ତ୍ରୀ ନଦିମ ଜାହାୱିଙ୍କୁ ଅର୍ଥମନ୍ତ୍ରୀକୁ ପଦୋନ୍ନତି ଦେଇ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଭ୍ ବାରକ୍ଲେଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ପଦରେ ଆସୀନ କରାଇଥିଲେ। କିନ୍ତୁ ବୁଧବାର ଆଉ ଦୁଇ ବରିଷ୍ଠ ମନ୍ତ୍ରୀ ଓ ୩ ଜଣ କନିଷ୍ଠ ଏହା ସ୍ପଷ୍ଟ ହୋଇଛି ଯେ ଜନସନଙ୍କ ମୁଣ୍ଡ ଉପରୁ ଡେମୋକ୍ଳିସ୍‌ଙ୍କ ଖଣ୍ଡା ହଟିବ ନାହିଁ।

ଗତ କିଛି ମାସ ହେଲା ପ୍ରଧାନମନ୍ତ୍ରୀ ଜନସନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁଲିସ ତାଙ୍କ ଉପରେ ଜରିମାନା ଲଗାଇବା ସହ କୋଭିଡ୍‌ ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ ତଦନ୍ତ ଅଧିକାରୀଙ୍କ ରିପୋର୍ଟ ତାଙ୍କ ବିରୋଧରେ ଯାଇଥିଲା ଏବଂ ସର୍ବସାଧାରଣରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଦଳ ପକ୍ଷରୁ ତାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବରେ ସେ ଅଳ୍ପକେ ବଞ୍ଚିଯାଇଥିଲେ। ୪୧ ପ୍ରତିଶତ କଞ୍ଜରଭେଟିଭ୍ ସାଂସଦ ତାଙ୍କୁ ଗାଦିଚ୍ୟୁତ କରିବାକୁ ଚାହୁଁଥିଲେ। ଯେଉଁ ଅନୁଗତମାନଙ୍କ ପାଇଁ ସେତେବେଳେ ତାଙ୍କ ଗାଦିରକ୍ଷା ହୋଇପାରିଥିଲା ସେମାନଙ୍କ ମଧ୍ୟରୁ ଏବେ ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି। ତଥାପି କ୍ଷମତାରେ ରହିବେ, ଏପରି କି ୨୦୩୦ ଯାଏ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ କେହି ହଟାଇ ପାରିବେ ନାହିଁ ବୋଲି କହୁଥିବା ଜନସନ ସରକାରଙ୍କ ଅବଗଣନା ଆରମ୍ଭ ହୋଇଯାଇଥିବା କୁହାଯାଉଛି । ଗତ ସପ୍ତାହରେ କଞ୍ଜରଭେଟିଭ୍ ଉପମୁଖ୍ୟ ସଚେତକ କ୍ରିସ୍ ପିଞ୍ଚର ଯୌନ କେଳେଙ୍କାରୀ ଅଭିଯୋଗ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ପିଞ୍ଚରଙ୍କ ପାଇଁ ଜନସନଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡ଼ିଥିଲା।