ସିଙ୍ଗଲ୍ ଡୋଜ୍ ଟିକାର ମଞ୍ଜୁରି ପାଇଁ ଆବେଦନ କଲା ଜନସନ୍ ଆଣ୍ଡ୍ ଜନସନ୍

ନୂଆଦିଲ୍ଲୀ : ଆମେରିକାର ୧୩୪ ବର୍ଷର ପୁରୁଣା ଫାର୍ମା କମ୍ପାନି ଜନସନ୍ ଆଣ୍ଡ୍‌ ଜନସନ୍‌ ଭାରତରେ ଏହାର ସିଙ୍ଗଲ୍‌ ଡୋଜ୍‌ କୋଭିଡ୍‌ ଟିକାର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ଲୋଡ଼ିଛି। କମ୍ପାନି ଏଥିପାଇଁ ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା (ସିଡିଏସ୍‌ସିଓଆଇ) ନିକଟରେ ଆବେଦନ କରିଛି। ପୂର୍ବରୁ କମ୍ପାନି ଭାରତରେ ଉକ୍ତ ଟିକାର ବ୍ରିଜିଂ ଟ୍ରାଏଲ୍‌ ବା ପରୀକ୍ଷଣ ପାଇଁ ଆବେଦନ କରିଥିଲା। କିନ୍ତୁ ପ୍ରତିଷ୍ଠିତ କମ୍ପାନିଙ୍କ ଟିକା ପାଇଁ ଉକ୍ତ ପରୀକ୍ଷଣର ଆବଶ୍ୟକତାକୁ କେନ୍ଦ୍ର ସରକାର ହଟାଇ ଦେବା ପରେ କମ୍ପାନି ସେହି ଆବେଦନକୁ ନିକଟରେ ପ୍ରତ୍ୟାହାର କରି ନେଇଥିଲା। ଏହାପରେ କମ୍ପାନି ଏବେ ସିଧାସଳଖ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି। ଗୁରୁବାର କମ୍ପାନି ଏଥିପାଇଁ ଆବେଦନପତ୍ର ଦାଖଲ କରିଛି ବୋଲି ଆଜି କହିଛି। ବାୟୋଲୋଜିକାଲ ଇ ଲିମିଟେଡର ସହଯୋଗରେ ଜନସନ୍ ଆଣ୍ଡ୍ ଜନସନ୍ ଉକ୍ତ ଟିକାକୁ ବଜାରରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।

ଭାରତରେ ଏହି ଟିକାକୁ ଯଦି ବ୍ୟବହାର ପାଇଁ ମଞ୍ଜୁରି ମିଳେ ତା’ହେଲେ ମଡର୍ଣ୍ଣା ପରେ ଏହା ହେବ ଦ୍ବିତୀୟ ଆମେରିକୀୟ ଟିକା। ଜନସନ୍ ଆଣ୍ଡ୍‌ ଜନସନ୍ ଗ୍ରୁପ୍‌ର ଜାନସେନ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଉକ୍ତ ସିଙ୍ଗଲ୍‌ ଡୋଜ୍ ଟିକା ପ୍ରସ୍ତୁତ ହୋଇଛି। କରୋନାରେ ଗୁରୁତର ନହେବା କ୍ଷେତ୍ରରେ ଉକ୍ତ ଟିକାର ଫଳପ୍ରଦତା ୮୫.୪ ପ୍ରତିଶତ ହୋଇଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା କରିବାରେ ଏହା ୯୩.୧ ପ୍ରତିଶତ ପ୍ରଭାବୀ ବୋଲି କୁହାଯାଉଛି। ଆମେରିକାର ଏଫ୍‌ଡିଏ ସମେତ ବିଶ୍ବର ଅନେକ ଦେଶ ଉକ୍ତ ସିଙ୍ଗଲ୍‌ ଡୋଜ୍‌ ଟିକାକୁ ବ୍ୟବହାର ପାଇଁ ପୂର୍ବରୁ ଅନୁମତି ଦେଇସାରିଛନ୍ତି। ମଡର୍ଣ୍ଣାର ଟିକାକୁ ଯଦିଓ ବ୍ୟବହାର ପାଇଁ ଅନୁମତି ମିଳିଛି ତଥାପି ପାର୍ଶ୍ବ ପ୍ରତିକ୍ରିୟା କ୍ଷେତ୍ରରେ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଏହା ବର୍ତ୍ତମାନ ସୁଦ୍ଧା ଛନ୍ଦିହୋଇ ପଡ଼ିଛି। ତେଣୁ ଯଦି ଜନସନ୍ ଆଣ୍ଡ୍‌ ଜନସନ୍‌ ଟିକାକୁ ଶୀଘ୍ର ଅନୁମୋଦନ ମିଳେ ଭାରତରେ ପହଞ୍ଚିବାରେ ଏହା ହେବ ପ୍ରଥମ। ବାୟୋଲୋଜିକାଲ ଇ ସ୍ଥାନୀୟ ସହଯୋଗୀ ଥିବାରୁ ମଡର୍ଣ୍ଣା ଭଳି ଜନସନ୍ ଆଣ୍ଡ୍‌ ଜନସନ୍‌ ପାଇଁ ସମସ୍ୟା ରହିବ ନାହିଁ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର