ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ନିହତ ହେବା ପରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି । ତେବେ ପଞ୍ଜାବରୁ ବିଚ୍ଛିନ୍ନତାବାଦ ଓ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ଅନୁସାରେ  ଖଲିସ୍ତାନୀଙ୍କ ଆତଙ୍କ ଓ ଅପରାଧ ନେଟଓ୍ବର୍କ ନଷ୍ଟ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।

Advertisment

ପଞ୍ଜାବରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଭାରତ ସରକାର ଏକ ବଡ ଯୋଜନା କରିବାକୁ ଯାଉଛନ୍ତି । ଏଥିପାଇଁ ଦେଶର ସମସ୍ତ ଗୁଇନ୍ଦା ଏଜେନ୍ସି ଏକାଠି ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ଖଲିସ୍ତାନୀ କାର୍ଯ୍ୟକଳାପ, ଆତଙ୍କବାଦୀ କାର୍ଯ୍ୟକଳାପ, ପାଣ୍ଠି ଯୋଗାଣ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଅକ୍ଟୋବର ୫ରୁ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଏହି ବଡ଼ ବୈଠକ ଡକାଯାଇଛି।

ଏଥିରେ ସାରା ଦେଶର ଏଟିଏସ୍ ମୁଖ୍ୟ, ଆଇବି ମୁଖ୍ୟ, ର' ମୁଖ୍ୟ ଏବଂ ରାଷ୍ଟ୍ର ଏଟିଏସ୍ (ଆଣ୍ଟି ଟେରର ସ୍କ୍ବାଡ୍) ମୁଖ୍ୟମାନେ ସାମିଲ ହେବେ। ଏହି ବୈଠକରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଜମ୍ମୁ-କଶ୍ମୀର, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏନସିଆରର ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର କାର୍ଯ୍ୟକଳାପର ମେରୁଦଣ୍ଡ ଭାଙ୍ଗିବା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରିବେ ଓ ଏକ ମିଳିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।